ଆତଙ୍କବାଦ ବିରୋଧରେ ‘ଜିରୋ ଟଲରେନ୍ସ’: SCO ମଞ୍ଚରେ ମୋଦୀଙ୍କ ଦୃଢ଼ ବାର୍ତ୍ତା
ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ କୌଣସି ପ୍ରକାରର ଦୋହରା ମାନଦଣ୍ଡ ଗ୍ରହଣୀୟ ନୁହେଁ। ଆତଙ୍କବାଦର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ଧ୍ୱଂସ କରିବା ପାଇଁ ଏସସିଓ ସଦସ୍ୟ ଦେଶଗୁଡ଼ିକୁ ମିଳିତ ଭାବେ ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ। କିର୍ଗିଜସ୍ତାନର ବିଶକେକ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO)ର ୨୬ତମ ଶିଖର ସମ୍ମିଳନୀରେ ଏଭଳି ଦୃଢ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଶିଖର ବୈଠକରେ ଅଂଶଗ୍ରହଣ କରି ମୋଦୀ କହିଥିଲେ, ଆତଙ୍କବାଦ ଆଜି ସମଗ୍ର ମାନବତା ପାଇଁ ଏକ ବଡ଼ ବିପଦ। ଏହା ବିରୋଧରେ ଲଢ଼େଇରେ କୌଣସି ଦୋହରା ମାନଦଣ୍ଡ ରହିବା ଉଚିତ ନୁହେଁ। ଆତଙ୍କବାଦୀ ସଂଗଠନ, ସେମାନଙ୍କ ଅର୍ଥ ଯୋଗାଣ, ଆଶ୍ରୟ ଓ ସହଯୋଗର ସମଗ୍ର ବ୍ୟବସ୍ଥା ବିରୋଧରେ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ।
ଯୁଦ୍ଧ ନୁହେଁ, ଆଲୋଚନା ହିଁ ସମାଧାନ
ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷକୁ ନେଇ ମଧ୍ୟ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ। ଯୁଦ୍ଧକ୍ଷେତ୍ରରେ କୌଣସି ବିବାଦର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ଆଲୋଚନା ଓ କୂଟନୀତି ହିଁ ବିବାଦ ସମାଧାନର ଏକମାତ୍ର ରାସ୍ତା ବୋଲି ସେ କହିଥିଲେ।
ଆଫଗାନିସ୍ତାନର ଶାନ୍ତି ଓ ସ୍ଥିରତା ୟୁରେସିଆ ଅଞ୍ଚଳର ସୁରକ୍ଷା ସହ ଘନିଷ୍ଠ ଭାବେ ଜଡ଼ିତ ବୋଲି ମୋଦୀ ଉଲ୍ଲେଖ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନକୁ ଭାରତ ପକ୍ଷରୁ ଦିଆଯାଉଥିବା ବିକାଶମୂଳକ ଓ ମାନବୀୟ ସହାୟତା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ।
ସୁରକ୍ଷା ସହ ସଂଯୋଗ ଓ ବାଣିଜ୍ୟକୁ ଗୁରୁତ୍ୱ
SCO ଦେଶଗୁଡ଼ିକର ସାମୂହିକ ପ୍ରଗତି ଓ ସମୃଦ୍ଧି ପାଇଁ ଦୃଢ଼ ଏବଂ ବିଶ୍ୱସନୀୟ ସଂଯୋଗ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ମୋଦୀ କହିଥିଲେ। ବଜାରକୁ ବଜାର ସହ ଯୋଡ଼ିବା, ବାଣିଜ୍ୟ ବଢ଼ାଇବା ଏବଂ ନୂଆ ବିକାଶ ସୁଯୋଗ ସୃଷ୍ଟି କରୁଥିବା ସଂଯୋଗୀକରଣ ପ୍ରୟାସକୁ ଭାରତ ସମର୍ଥନ କରେ।
ତେବେ ଏଭଳି ସଂଯୋଗ ପ୍ରକଳ୍ପରେ ସମ୍ପୃକ୍ତ ଦେଶର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଅତ୍ୟାବଶ୍ୟକ ବୋଲି ସେ ସ୍ପଷ୍ଟ କରିଥିଲେ।
ଯୁବଶକ୍ତି ଓ ନବସୃଜନ ଉପରେ ଫୋକସ୍
ପ୍ରଯୁକ୍ତି, ଶିଳ୍ପ ବିକାଶ, ନବସୃଜନ, ଷ୍ଟାର୍ଟଅପ୍ ଏବଂ ନାଗରିକସ୍ତରୀୟ ସହଯୋଗ ମାଧ୍ୟମରେ SCO ଦେଶଗୁଡ଼ିକର ଯୁବପିଢ଼ି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମୋଦୀ କହିଥିଲେ।
କିର୍ଗିଜସ୍ତାନର ଅଧ୍ୟକ୍ଷତାରେ ଯୁବ ସମ୍ପର୍କ ଉପରେ ଦିଆଯାଇଥିବା ଗୁରୁତ୍ୱକୁ ସେ ପ୍ରଶଂସା କରିଥିଲେ। ଚଳିତ ବର୍ଷ ଶେଷ ଭାଗରେ ଭାରତ ପ୍ରଥମ SCO ସଭ୍ୟତାଗତ ବିତର୍କ ମଞ୍ଚ ଆୟୋଜନ କରିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ। ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସଭ୍ୟତାଗତ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଆଗାମୀ ୨୫ ବର୍ଷ ପାଇଁ ରୋଡମ୍ୟାପ୍
SCOର ୨୫ ବର୍ଷ ପୂର୍ତ୍ତିକୁ ଆଗାମୀ ୨୫ ବର୍ଷ ପାଇଁ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିବାର ଉପଯୁକ୍ତ ସମୟ ବୋଲି ମୋଦୀ ଅଭିହିତ କରିଥିଲେ। ପୂର୍ବରୁ ଭାରତ ପକ୍ଷରୁ ଉପସ୍ଥାପିତ ‘ସୁରକ୍ଷା, ସଂଯୋଗ ଓ ସୁଯୋଗ’ର ତିନିଟି ସ୍ତମ୍ଭକୁ ଆଧାର କରି ସଂଗଠନକୁ ଆଗକୁ ବଢ଼ିବାକୁ ହେବ ବୋଲି ସେ କହିଥିଲେ।
ଶିଖର ସମ୍ମିଳନୀରେ ବିଶକେକ୍ ଘୋଷଣାନାମା ସହ ଜଳବାୟୁ, ପରମାଣୁ ସୁରକ୍ଷା, ଶକ୍ତି ସଂରକ୍ଷଣ ଓ ନିଶା ନିବାରଣ ଭଳି ବିଭିନ୍ନ ପ୍ରସଙ୍ଗରେ ଚାରିଟି ବୁଝାମଣାପତ୍ର ସହ ୨୦ରୁ ଅଧିକ ନିଷ୍ପତ୍ତି ଓ ବିବରଣୀ ଗ୍ରହଣ କରାଯାଇଥିଲା।
ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ କିର୍ଗିଜସ୍ତାନର ରାଷ୍ଟ୍ରପତି ସାଦିର ଝାପାରୋଭଙ୍କୁ ଧନ୍ୟବାଦ ଜଣାଇବା ସହ SCO ପରିବାର ସହ ମିଶି ସାମୂହିକ ପ୍ରଗତି, ଶାନ୍ତି ଓ ସମୃଦ୍ଧି ପାଇଁ ଭାରତ ନିରନ୍ତର କାର୍ଯ୍ୟ କରିବ ବୋଲି ମୋଦୀ ଦୋହରାଇଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-1-scaled.jpg)