ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି ନଥିଲେ ଫାଇନ୍ ୧୦ ହଜାରରୁ ୬ ହଜାରକୁ ହ୍ରାସ
ଭୁବନେଶ୍ୱର: ଗାଡ଼ି ଚାଳକ ଓ ମାଲିକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ପିୟୁସିସି (Pollution Under Control Certificate) ନଥିଲେ ଲାଗୁଥିବା ଜରିମାନା ରାଶିକୁ ରାଜ୍ୟ ସରକାର କମାଇଛନ୍ତି। ପୂର୍ବରୁ ଏଥିପାଇଁ ୧୦ ହଜାର ଟଙ୍କା ଜରିମାନା ବ୍ୟବସ୍ଥା ଥିବାବେଳେ ଏବେ ଏହାକୁ ୬ ହଜାର ଟଙ୍କାକୁ ହ୍ରାସ କରାଯାଇଛି।
ବୁଧବାର ଏକ ପ୍ରେସ୍ମିଟ୍ରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।
ପିୟୁସିସି ନଥିବା ଗାଡ଼ି ଧରାପଡ଼ିଲେ ୧୦ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ ବୋଲି ପୂର୍ବରୁ ନିୟମ ଲାଗୁ ହୋଇଥିଲା। ଏହାକୁ ନେଇ ଗାଡ଼ି ମାଲିକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏବେ ସରକାର ଫାଇନ୍ ରାଶି ୪ ହଜାର ଟଙ୍କା କମାଇ ୬ ହଜାର ଟଙ୍କା କରିବା ପରେ ଏହା ଗାଡ଼ି ମାଲିକଙ୍କୁ କିଛିଟା ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି।
ତେବେ ଗାଡ଼ି ଚାଳକମାନେ ନିଜ ଯାନର ବୈଧ ପିୟୁସିସି ରଖିବା ସହ ପ୍ରଦୂଷଣ ନିୟମ ପାଳନ କରିବାକୁ ପରିବହନ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।



