ଜନ୍ମାଷ୍ଟମୀରେ ଗୁପ୍ତ ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ
ସନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏଁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା; ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ଜନ୍ମୋତ୍ସବ ନୀତି
ପୁରୀ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ସ୍ୱତନ୍ତ୍ର ନୀତିକାନ୍ତି। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ହେବାକୁ ଥିବା ଏହି ଗୁପ୍ତ ନୀତି ପାଇଁ ସାଧାରଣ ଦର୍ଶନରେ ମଧ୍ୟ କଟକଣା ଲାଗୁ କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ, ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଶ୍ରୀମନ୍ଦିର ଭିତରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ସମ୍ପର୍କିତ ବିଶେଷ ନୀତି ସମ୍ପନ୍ନ ହେବ।
ସ୍ୱତନ୍ତ୍ର ଅଳଙ୍କାର ଓ ଯେଉଡ଼ ଭୋଗ
ଜନ୍ମାଷ୍ଟମୀ ଅବସରରେ ସନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ସନ୍ଧ୍ୟାଧୂପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଏହାପରେ ଟେରା ବନ୍ଧାଯାଇ ମହାପ୍ରଭୁଙ୍କ ନିକଟରେ ବିଶେଷ ଭୋଗ ଅର୍ପଣ କରାଯିବ।
ରୋଷଘରରୁ ପ୍ରସ୍ତୁତ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ଯେଉଡ଼ ଭୋଗ ଆଣି ଅଣସର ପିଣ୍ଡିରେ ରଖାଯିବ। ଏହାପରେ ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ।
ଗର୍ଭଉଦକ ବନ୍ଦାପନାର ବିଶେଷତ୍ୱ
ଜନ୍ମାଷ୍ଟମୀ ନୀତିର ଅନ୍ୟତମ ପ୍ରମୁଖ ଅଂଶ ହେଉଛି ଗର୍ଭଉଦକ ବନ୍ଦାପନା। ପୂଜାପଣ୍ଡା ସେବାୟତ ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିବେ।
ପରମ୍ପରା ଅନୁସାରେ, ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବକୀଙ୍କ ରୂପ ଧାରଣ କରି ଗର୍ଭଧାରଣ କରିଥିବାର ବିଶ୍ୱାସ ରହିଛି। ତେଣୁ ସୁଖପ୍ରସବ କାମନାରେ ଏହି ସ୍ୱତନ୍ତ୍ର ଯେଉଡ଼ ପ୍ରସାଦ ଲାଗି କରାଯାଇଥାଏ।
ଏହି ସମସ୍ତ ନୀତି ଅତ୍ୟନ୍ତ ଗୁପ୍ତ ହୋଇଥିବାରୁ ନୀତି ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ। ଭକ୍ତମାନେ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି। ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଏହି ପାରମ୍ପରିକ ନୀତିକାନ୍ତି ଶ୍ରୀକ୍ଷେତ୍ରର ଧାର୍ମିକ ପରମ୍ପରାକୁ ଆହୁରି ସମୃଦ୍ଧ କରିବ।



