ଓଡ଼ିଶାରେ ଲମ୍ବା ଶାସନ ପାଇଁ ବିଜେପିର ରଣନୀତି
ତୃଣମୂଳସ୍ତରରେ ସଂଗଠନ ମଜବୁତ କର, ଲୋକଙ୍କ ସେବାକୁ ଦିଅ ପ୍ରାଥମିକତା: ବି.ଏଲ୍. ସନ୍ତୋଷ
କଟକ: ଓଡ଼ିଶାରେ ବିଜେପି ସରକାରକୁ ଦୀର୍ଘ ସମୟ ଧରି କ୍ଷମତାରେ ରଖିବା ଏବଂ ଆଗାମୀ ନିର୍ବାଚନରେ ପୁଣି ବିଜୟ ହାସଲ କରିବା ପାଇଁ ଦଳୀୟ ସଂଗଠନକୁ ଏବେଠାରୁ ସଜାଡ଼ିବାକୁ ଆହ୍ୱାନ ଦିଆଯାଇଛି। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଦଳର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଏନେଇ ମାର୍ଗଦର୍ଶନ ଦେଇଛନ୍ତି।
ବୈଠକରେ ସେ ଦଳୀୟ ନେତାମାନଙ୍କୁ ଆତ୍ମସମୀକ୍ଷା କରିବାକୁ କହିଥିଲେ। ବିଜେପି କାହିଁକି କ୍ଷମତାକୁ ଆସିଛି, କ’ଣ କରିବାକୁ ହେବ ଏବଂ ଅନ୍ୟ ଦଳଠାରୁ ବିଜେପି କିପରି ଭିନ୍ନ—ଏହି ପ୍ରଶ୍ନଗୁଡ଼ିକୁ ନେଇ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଚିନ୍ତନ କରିବା ଆବଶ୍ୟକ ବୋଲି ସେ କହିଥିଲେ।
ବି.ଏଲ୍. ସନ୍ତୋଷ କହିଥିଲେ, ଦଳ ଦୀର୍ଘ ବର୍ଷ ପରେ ଓଡ଼ିଶାରେ ସରକାର ଗଠନ କରିଛି। ତେଣୁ କ୍ଷମତା ମିଳିବା ପରେ ଅହଂକାର ନଆଣି ଲୋକଙ୍କ ସେବା କରିବା ଉପରେ ଗୁରୁତ୍ୱ ଦେବା ଦରକାର। ବିଧାୟକ, ସାଂସଦ କିମ୍ବା ମନ୍ତ୍ରୀ ହେବା ପରେ ମଧ୍ୟ ସମାଜର ତଳସ୍ତରରେ ଥିବା ଲୋକଙ୍କ ସମସ୍ୟା ବୁଝି ସେମାନଙ୍କ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଆଗାମୀ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି
ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନକୁ ନଜରରେ ରଖି ସଂଗଠନକୁ ତୃଣମୂଳସ୍ତରରେ ମଜବୁତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ନିର୍ବାଚନ ଘୋଷଣା ପୂର୍ବରୁ ହିଁ ବୁଥ୍ସ୍ତରରୁ ସଂଗଠନକୁ ସକ୍ରିୟ କରି ସୂକ୍ଷ୍ମ ଯୋଜନା ସହ କାମ କରିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କୁହାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବେ ବୋଲି ବି.ଏଲ୍. ସନ୍ତୋଷ ଆଶା ପ୍ରକାଶ କରିଥିବା ଜଣାପଡ଼ିଛି।
କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍
କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସ ଓ ବିଜେଡି ବିରୋଧରେ ଏକାଧିକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଆର୍ଥିକ ବିକାଶ ହାର, ପୂର୍ଣ୍ଣାଙ୍ଗ ବନ୍ଦେ ମାତରମ୍, ମହିଳା ସଂରକ୍ଷଣ ବିଲ୍ ଓ ‘ସହରୀ ନକ୍ସଲ’ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ନେଇ ବିଜେପି ପକ୍ଷରୁ ଆପତ୍ତି ପ୍ରକାଶ କରାଯାଇଛି।
ସେହିପରି ଖଣି ଆଇନ ସଂଶୋଧନକୁ ନେଇ ବିଜେଡି ପକ୍ଷରୁ କରାଯାଉଥିବା ପ୍ରଚାର ଏବଂ ଭାରତୀୟ ଖାଦ୍ୟ ନିଗମ ସମ୍ପର୍କିତ ପ୍ରସଙ୍ଗରେ ମଧ୍ୟ ନିନ୍ଦା ପ୍ରସ୍ତାବ ଆସିଛି।
‘ସେବା ସଂକଳ୍ପ’କୁ ତଳସ୍ତରକୁ ନେବ ବିଜେପି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରୁ ଆରମ୍ଭ ହେବାକୁ ଥିବା ଏକମାସିଆ ‘ସେବା ସଂକଳ୍ପ’ ଅଭିଯାନକୁ ଗାଁ ଓ ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବୈଠକରେ ପ୍ରସ୍ତାବ ପାରିତ ହୋଇଛି। ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ପାଇଁ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି।
ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଦଳର ବହୁ ବରିଷ୍ଠ ନେତା, ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।



