ଅନୁଗୋଳରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ: ସଚେତନତା ରାଲି ଓ ସେମିନାର ଅନୁଷ୍ଠିତ

ଅନୁଗୋଳ, ୦୯.୦୯: ନବ ଭାରତ ସାକ୍ଷରତା ଅଭିଯାନ ସଚେତନତା ପକ୍ଷ ଅନ୍ତର୍ଗତ ‘ଉଲ୍ଲାସ’ (ULLAS – Understanding of Lifelong Learning for All in Society) କାର୍ଯ୍ୟକ୍ରମକୁ ଅଧିକ ଜନମୁଖୀ ଓ ସଚେତନତାମୂଳକ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଅନୁଗୋଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ସଚେତନତା ରାଲି ଓ ସେମିନାର ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଉଚ୍ଚ ବିଦ୍ୟାଳୟରୁ ବାହାରିଥିବା ଏହି ରାଲି ମାଧ୍ୟମରେ ନିରକ୍ଷରତା ଦୂରୀକରଣ, ଡିଜିଟାଲ ଓ ଆର୍ଥିକ ସାକ୍ଷରତା ଏବଂ ଜୀବନବ୍ୟାପୀ ଶିକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ରାଲି ପରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସେମିନାର ଅନୁଷ୍ଠିତ ହୋଇଥିଲା। ସେମିନାରରେ ଉଲ୍ଲାସ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ, ଗୁରୁତ୍ୱ ଓ ସମାଜରେ ଜୀବନବ୍ୟାପୀ ଶିକ୍ଷାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା। ବିଶେଷକରି ସମାଜର ପ୍ରତ୍ୟେକ ବର୍ଗଙ୍କୁ ଶିକ୍ଷାର ମୁଖ୍ୟଧାରା ସହିତ ଯୋଡ଼ିବା ଏବଂ ଶିକ୍ଷାକୁ ଜୀବନ ସହିତ ସମ୍ପୃକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନାବାଡ଼ି କର୍ମୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ପ୍ରଧାନ ଶକ୍ଷକ, ସହକାରୀ ଶିକ୍ଷକ, ସମଗ୍ର ଶିକ୍ଷା କାର୍ଯ୍ଯାଳୟର ସମସ୍ତ ବିଭାଗୀୟ ଅଧିକାରୀ ସମେତ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଲ୍ଲାସ କାର୍ଯ୍ୟକ୍ରମର ସାମାଜିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଶିକ୍ଷା କେବଳ ବିଦ୍ୟାଳୟରେ ସୀମିତ ନୁହେଁ, ବରଂ ‘ଜୀବନ ପାଇଁ ଶିକ୍ଷା ଓ ସମସ୍ତଙ୍କ ପାଇଁ ଶିକ୍ଷା’ ଧାରଣାକୁ ସାକାର କରିବାରେ ଉଲ୍ଲାସର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। କାର୍ଯ୍ଯକ୍ରମର ଅନ୍ଯତମ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପମୁଦ୍ରା ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଓ ସାମୂହିକ ଦାୟିତ୍ୱର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ବୁଜ କୁମାର ଗଡ଼ନାୟକ ସୁଚାରୁ ଭାବେ ପରିଚାଳନା କରିଥିବାବେଳେ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ଶ୍ରୀ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।





