ପ୍ରକୃତି ଓ ପ୍ରେମର ଚିରନ୍ତନ ପ୍ରତୀକ ହେଉଛି ବର୍ଷା
ତାଳଚେର, ୦୯/୦୯ ତାଳଚେର ବ୍ଲକ ସାଉଥବଲଣ୍ଡା ସାହିତ୍ୟ ଘର ପକ୍ଷରୁ ବର୍ଷା ଆସର ଓ କବିତା ପାଠୋତ୍ସବ ସାଉଥବଲଣ୍ଡାସ୍ଥିତ ଆଇଏନ୍ଟିୟୁସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଘରର ସଭାପତି ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗର ମୁଖ୍ୟ ତଥା ବିଶିଷ୍ଟ ସାହିତ୍ୟିକ ଡ.ପ୍ରଶାନ୍ତ କୁମାର ରଥ, ସମ୍ମାନୀତ ଅତିଥି ଭାବରେ ତାଳଚେର ଶିଳ୍ପାଚଂଳ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷା ସୁଶ୍ରୀ ଶୋଭାଗିନୀ ଦେବୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାହିତ୍ୟ ଘରର ଉପସଭାପତି ସୁଶୀଲ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ବିଭୂତି ଭୂଷଣ ସ୍ୱାଇଁ ବର୍ଷା ଆସର ପାଳନର ଆଭିମୁଖ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ “ଓଡିଆ ସାହିତ୍ୟରେ ବର୍ଷା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଡ.ରଥ ନିଜ ବକ୍ତବ୍ୟରେ ଓଡ଼ିଆ ସାହିତ୍ୟରେ ବର୍ଷା ଓ ପ୍ରକୃତିର ସଂପର୍କ ଅତ୍ୟନ୍ତ ନିବିଡ଼ । ବର୍ଷା ପ୍ରକୃତି ଓ ମଣିଷ ମଧ୍ୟରେ ଏକ ଭାବନାତ୍ମକ ସେତୁ ଭାବରେ କାର୍ଯ୍ୟ କରୁଛି । ତେଣୁ ପ୍ରକୃତି ଓ ପ୍ରେମର ଚିରନ୍ତନ ପ୍ରତୀକ ହେଉଛି ବର୍ଷା ବୋଲି ସେ ମତବ୍ୟକ୍ତ କରିଥିଲେ । ଏହାସହିତ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ପ୍ରକାଶିତ ତ୍ରୈମାସିକ ଇ-ସାହିତ୍ୟ ପତ୍ରିକା ‘ଆମ ଭାଷାର ଉଚ୍ଛ୍ୱାସ ପ୍ରତିଭାସ’ର ରଥ ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସାହିତ୍ୟ ଘରର ଉପସଭାପତି ସୁଶୀଲ କୁମାର ପ୍ରଧାନଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ମୁକୁନ୍ଦ ଚନ୍ଦ୍ର ସାମଲ, ଶୋଭାଗିନୀ ଦେବୀ, ପତିତପାବନ ପ୍ରଧାନ, ମାନସ କୁମାର ନନ୍ଦ, କଳ୍ପନା ନାଏକ, ଅନୁପମା ପ୍ରଧାନ, ସୁସ୍ମିତା ମିଶ୍ର, ଦିପ୍ତୀରାଣୀ ସିଂହ, ସାନନ୍ଦ ଚନ୍ଦ୍ର ପରିଡ଼ା, ସୁଶୀଲ କୁମାର ପ୍ରଧାନ ଓ ତ୍ରିନାଥ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସାହିତ୍ୟଘରର ସମ୍ପାଦକ ତ୍ରିନାଥ ସାହୁ ପରିଚାଳନା କରିଥିବା ବେଳେ ସାଙ୍ଗଠନିକ ସଂପାଦକ ପତିତପାବନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସାହିତ୍ୟ ଘରର କୋଷାଧ୍ୟକ୍ଷ ଅରୁଣ କୁମାର ରାଉତ, ତ୍ରେତାନନ୍ଦ ସାମନ୍ତ, ନିରଞ୍ଜନ ମହାପାତ୍ର, କୃଷ୍ଣ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

September 10, 2026/
No Comments


