ଏମ୍ଏମ୍ଡିଆର୍ ଆଇନ-୨୦୨୬କୁ ନେଇ ବିରୋଧୀଙ୍କ ଅପପ୍ରଚାର: ଅମର ପଟ୍ଟନାୟକ
ଖଣି କ୍ଷେତ୍ରରେ ସ୍ୱଚ୍ଛତା, ସମାନ ଟ୍ୟାକ୍ସ ବ୍ୟବସ୍ଥା ଓ ନୂଆ ନିବେଶକୁ ମିଳିବ ପ୍ରୋତ୍ସାହନ ବୋଲି ଦାବି
ଭୁବନେଶ୍ୱର: ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ-୨୦୨୬କୁ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟବାସୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ତାଙ୍କ ମତରେ, ସଂଶୋଧିତ ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ଖଣିଜ ସମ୍ପଦର ସୁପରିଚାଳନା, ସ୍ୱଚ୍ଛତା, ନିୟନ୍ତ୍ରଣ ଓ ଉଚିତ ବଣ୍ଟନ ସୁନିଶ୍ଚିତ କରିବା।
ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ଆଇନକୁ ନେଇ ବିଜେଡି ଓ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ନକାରାତ୍ମକ ପ୍ରଚାର କରୁଛନ୍ତି। ଆଇନରେ ଥିବା ବ୍ୟବସ୍ଥାକୁ ଠିକ୍ ଭାବେ ବୁଝିନଥାଇ ରାଜ୍ୟର କ୍ଷମତା ହ୍ରାସ ଓ ଆର୍ଥିକ କ୍ଷତି ଭଳି ପ୍ରସଙ୍ଗ ଉଠାଯାଉଥିବା ସେ ଦାବି କରିଛନ୍ତି।
ଶ୍ରୀ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ ଦ୍ୱାରା ବିଭିନ୍ନ ରାଜ୍ୟରେ ଥିବା ଅନେକ ପ୍ରକାରର ଟ୍ୟାକ୍ସ, ସେସ୍ ଓ ଫି ବ୍ୟବସ୍ଥାରେ ସମାନତା ଆଣିବା ଉଦ୍ୟମ କରାଯାଇଛି। ଏହା ଫଳରେ ଖଣି କ୍ଷେତ୍ରରେ ଅଧିକ ପୂର୍ବାନୁମାନଯୋଗ୍ୟତା ଓ ସ୍ଥିରତା ଆସିବା ସହ ନୂତନ ନିବେଶକଙ୍କୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି।
ତାଙ୍କ ଦାବି ଅନୁଯାୟୀ, ଖଣି ଆଧାରିତ ଶିଳ୍ପ ଯଥା ସିମେଣ୍ଟ, ଲୁହାଛଡ଼ ଓ ଇସ୍ପାତ ଶିଳ୍ପ ଉପରେ ଅତିରିକ୍ତ ଟ୍ୟାକ୍ସ ବୋଝ କମିବା ସହ ବ୍ୟବସାୟିକ ପ୍ରତିଯୋଗିତା ବଢ଼ିବ। ଏହାର ପରୋକ୍ଷ ଲାଭ ଉପଭୋକ୍ତାଙ୍କୁ ମଧ୍ୟ ମିଳିପାରିବ ବୋଲି ସେ ମତ ଦେଇଛନ୍ତି।
ଖଣି ରାଜସ୍ୱ ବୃଦ୍ଧିକୁ ନେଇ ତଥ୍ୟ ରଖିଲେ
୨୦୧୫ ପରେ ଏମ୍ଏମ୍ଡିଆର୍ ଆଇନରେ ସଂସ୍କାର ଓ ଇ-ଅକ୍ସନ ବ୍ୟବସ୍ଥା ଆସିବା ପରେ ଓଡ଼ିଶାର ଖଣି ରାଜସ୍ୱରେ ବୃଦ୍ଧି ଘଟିଥିବା ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ତାଙ୍କ ଅନୁସାରେ, ୨୦୧୫ରେ ପ୍ରାୟ ୩,୩୦୦ କୋଟି ଟଙ୍କା ଥିବା ଖଣି ରାଜସ୍ୱ ବର୍ତ୍ତମାନ ପ୍ରାୟ ୫୩ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଏହି ବୃଦ୍ଧିକୁ ସେ ଖଣି କ୍ଷେତ୍ରରେ ହୋଇଥିବା ସଂସ୍କାରର ଫଳ ବୋଲି ଦର୍ଶାଇଛନ୍ତି।
ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ରାଜସ୍ୱର ବଡ଼ ଅଂଶ ରାଜ୍ୟକୁ ମିଳୁଥିବା ଦାବି କରି ସେ କହିଛନ୍ତି ଯେ, ରୟାଲ୍ଟି ଓ ଡିଏମ୍ଏଫ୍ ଭଳି ବ୍ୟବସ୍ଥାର ଲାଭ ରାଜ୍ୟ ପାଉଛି। ତେଣୁ ସଂଶୋଧିତ ଆଇନ ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ କିମ୍ବା ରାଜ୍ୟର ସ୍ୱାର୍ଥ କ୍ଷତିଗ୍ରସ୍ତ ହେବ ବୋଲି ବିରୋଧୀଙ୍କ ଆଶଙ୍କା ଠିକ୍ ନୁହେଁ ବୋଲି ସେ କହିଛନ୍ତି।
ବିଜେଡି ଶାସନକୁ ନେଇ ଉଠାଇଲେ ପ୍ରଶ୍ନ
ଖଣି ଦୁର୍ନୀତି ଓ ରାଜସ୍ୱ ଆଦାୟ ପ୍ରସଙ୍ଗରେ ପୂର୍ବତନ ବିଜେଡି ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି ଅମର ପଟ୍ଟନାୟକ। ଶାହା କମିଶନ ରିପୋର୍ଟ, ଖଣି ଜରିମାନା ଆଦାୟ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥାର ବକେୟା ବିଦ୍ୟୁତ ଓ ଜଳକର ପ୍ରସଙ୍ଗ ଉଠାଇ ସେ ପୂର୍ବ ସରକାରର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।
ସେ ଦାବି କରିଛନ୍ତି ଯେ, ୨୦୧୫ ପରେ ଇ-ଅକ୍ସନ ମାଧ୍ୟମରେ ଖଣି ବଣ୍ଟନ ବ୍ୟବସ୍ଥା ଆସିବାରୁ ପ୍ରକ୍ରିୟାରେ ସ୍ୱଚ୍ଛତା ବଢ଼ିଛି। ଏହା ଫଳରେ ଖଣିଜ ସମ୍ପଦରୁ ରାଜ୍ୟର ରାଜସ୍ୱ ଆଦାୟ ମଧ୍ୟ ବଢ଼ିଥିବା ସେ କହିଛନ୍ତି।
‘ଏକ ଦେଶ–ଏକ ଖଣିଜ ବଜାର’ ଉପରେ ଜୋର
ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ ଦୀର୍ଘମିଆଦିରେ ଓଡ଼ିଶା ଭଳି ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟକୁ ଲାଭ ଦେବ ବୋଲି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ତାଙ୍କ ଅନୁସାରେ, ଟ୍ୟାକ୍ସ ବ୍ୟବସ୍ଥାରେ ସମାନତା ଆସିଲେ ଶିଳ୍ପାୟନକୁ ଗତି ମିଳିବ, ନୂତନ ନିବେଶ ଆସିବା ସହ ରୋଜଗାର ସୁଯୋଗ ବଢ଼ିବ ଏବଂ ‘ଇଜ୍ ଅଫ୍ ବିଜିନେସ୍’କୁ ଅଧିକ ଗତି ମିଳିବ।
ଏହି ଆଇନ ରାଜ୍ୟର କ୍ଷମତା କମାଇବ ନାହିଁ, ବରଂ ଖଣି କ୍ଷେତ୍ରରେ ସ୍ୱଚ୍ଛତା ଓ ସମାନତା ଆଣି ଓଡ଼ିଶାର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଖଣି କ୍ଷେତ୍ରର ସଂସ୍କାର ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅଶୋକ ମହାନ୍ତି, ଅଗସ୍ତି ବେହେରା ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।



