ସେପ୍ଟେମ୍ବର ୧୭ରେ ସାରା ଓଡ଼ିଶାରେ ଜଳିବ ‘ଆଶୀର୍ବାଦର ଦୀପ’
ମହିଳା ହିତାଧିକାରୀଙ୍କୁ ଦୀପ ପ୍ରଜ୍ୱଳନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଆହ୍ୱାନ
ଭୁବନେଶ୍ୱର: ମହିଳା ସଶକ୍ତୀକରଣ, ସେବା ଓ କୃତଜ୍ଞତାର ବାର୍ତ୍ତା ନେଇ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ସାରା ଓଡ଼ିଶାରେ ପ୍ରଜ୍ୱଳିତ ହେବ ‘ଆଶୀର୍ବାଦର ଦୀପ’। ଏହି ଅଭିଯାନରେ ରାଜ୍ୟର ସମସ୍ତ ମହିଳା ହିତାଧିକାରୀ ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରି ସାମିଲ ହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମକୁ ସଫଳ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (SHG), କ୍ଲଷ୍ଟର ସ୍ତରୀୟ ମହାସଂଘ (CLF), ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ (GPLAF), ବ୍ଲକ ଓ ଜିଲ୍ଲା ସ୍ତରୀୟ ମହାସଂଘ, ଲକ୍ଷପତି ଦିଦି, ଉତ୍ପାଦକ ଗୋଷ୍ଠୀ ଓ ଉତ୍ପାଦକ କମ୍ପାନୀଗୁଡ଼ିକ ଏଥିରେ ସକ୍ରିୟ ଭାବେ ସାମିଲ ହେବେ।
ବୈଠକରେ ମିଶନ ଶକ୍ତି ବିଭାଗର ଶାସନ ସଚିବ ମାନସୀ ନିମ୍ଭାଲ, ନିର୍ଦ୍ଦେଶିକା ଡ. ମୋନିକା ବାନାର୍ଜୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାସହ ରାଜ୍ୟର ୩୦ଟି ଜିଲ୍ଲାର CDO, BDO, CLF ଓ GPLAF ପ୍ରତିନିଧିଙ୍କ ସହ ବିଭିନ୍ନ SHGର ସଦସ୍ୟାମାନେ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ପ୍ରତ୍ୟେକ ମହିଳା ହିତାଧିକାରୀ ଯଦି ‘ବିକଶିତ ଭାରତ ୨୦୪୭’ ଓ ‘ବିକଶିତ ଓଡ଼ିଶା ୨୦୩୬’ର ସଂକଳ୍ପ ଏବଂ କୃତଜ୍ଞତାର ପ୍ରତୀକ ଭାବେ ଗୋଟିଏ ଦୀପ ପ୍ରଜ୍ୱଳନ କରନ୍ତି, ତେବେ ସାରା ରାଜ୍ୟ ମହିଳା ସଶକ୍ତୀକରଣର ଆଲୋକରେ ଉଜ୍ଜ୍ୱଳ ହୋଇଉଠିବ।
ତାଙ୍କ ଅନୁସାରେ, ପ୍ରତ୍ୟେକ ଦୀପ ନାରୀଶକ୍ତିର ସାମର୍ଥ୍ୟ, ସ୍ୱାଭିମାନ, ଆଶା ଓ ଆକାଂକ୍ଷା ସହ ଓଡ଼ିଶା ଏବଂ ଦେଶର ବିକାଶରେ ମହିଳାମାନଙ୍କ ଅବଦାନର ପ୍ରତୀକ ହେବ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଆୟୋଜନ କରାଯାଉଛି। ଏହି ଅଭିଯାନର ଏକ ପ୍ରମୁଖ ଅଂଶ ଭାବେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।



