ଦକ୍ଷତା ବିକାଶ ମାଧ୍ୟମରେ ଗ୍ରାମବାସୀଙ୍କୁ ଆତ୍ମନିର୍ଭର କରିବାକୁ ଅନୁଗୋଳ ବନଖଣ୍ଡର ପ୍ରୟାସ

ଅନୁଗୋଳ: ଗ୍ରାମୀଣ ଲୋକଙ୍କୁ ଦକ୍ଷତା ବିକାଶ ସହ ଆୟର ନୂତନ ସୁଯୋଗ ଯୋଗାଇ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ବିଭିନ୍ନ ପଦକ୍ଷେପ ଜାରି ରହିଛି। ଏହି କ୍ରମରେ ଅନୁଗୋଳ ରେଞ୍ଜ ଅଧୀନ ପୁରୁଣାଗଡ଼ ସେକ୍ସନର ମାଟିଆ ସାହି ଗ୍ରାମ ଓ UCO RSETI କାର୍ଯ୍ୟାଳୟ ପରିଦର୍ଶନ କରି ସମାଜବିଜ୍ଞାନୀ ଦଳ ପକ୍ଷରୁ ଚାଲିଥିବା ୬ ଦିନିଆ ସାଧାରଣ EDP ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି।
ଏହି ପ୍ରଶିକ୍ଷଣରେ ମୋଟ ୩୫ ଜଣ VSS ସଦସ୍ୟ ଅଂଶଗ୍ରହଣ କରି ଅଗରବତୀ, ମହମବତୀ ଓ ଫେନାଇଲ୍ ତିଆରି ଭଳି ବିଭିନ୍ନ ଉପଯୋଗୀ କୌଶଳ ହାସଲ କରୁଛନ୍ତି। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଉଦ୍ୟୋଗିତାର ମନୋଭାବ ବିକଶିତ ହେବା ସହ ନିଜସ୍ୱ ରୋଜଗାର ଓ ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ପରିଦର୍ଶନ ସମୟରେ ସମାଜବିଜ୍ଞାନୀ ଦଳ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ବିକାଶମୂଳକ ଆବଶ୍ୟକତା, ପ୍ରାଥମିକତା ଓ ଭବିଷ୍ୟତ ଆକାଂକ୍ଷା ସମ୍ପର୍କରେ ଅବଗତ ହୋଇଥିଲେ। ଉପଲବ୍ଧ ସୁଯୋଗର ସଠିକ୍ ବିନିଯୋଗ କରି ଜୀବିକାକୁ ସୁଦୃଢ଼ କରିବା ଏବଂ ଆତ୍ମନିର୍ଭର ଭବିଷ୍ୟତ ଗଢ଼ିବା ପାଇଁ ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରାଯାଇଥିଲା।
ସ୍ଥାନୀୟ ସମୁଦାୟକୁ ସଶକ୍ତ କରିବା, ଜୀବିକାର ମାନ ବୃଦ୍ଧି କରିବା ଓ ଏକ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ଅନୁଗୋଳ ବନଖଣ୍ଡର ଏଭଳି ପ୍ରୟାସ ଜାରି ରହିଛି।




