::ପଶ୍ଚିମ ଓଡିଶା ର ଗର୍ବ, ଗୌରବ ନୂଆଁଖାଇ: ଆମ ସ୍ୱତନ୍ତ୍ର ଆମ ପରିଚୟ, ନୁଆଁଖାଇ ଜୁହାର::
ପଶ୍ଚିମ ଓଡିଶା:୧୫/୯(ପବିତ୍ର ମେହେର) ପଶ୍ଚିମ ଓଡିଶା ର ସିଘା ତିହାର ନୁଆଁଖାଇ, ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର । ‘ନୂଆଁ’ ମାନେ ନୂଆଁ ଆଉ ‘ଖାଇ’ ମାନେ ଖାଇବା। ନୂଆଁ ଧାନ ଅମଳ ହେଲା ପରେ ପ୍ରଥମେ ଇଷ୍ଟଦେବୀ ସମଲେଶ୍ୱରୀଙ୍କୁ ଭୋଗ ଲଗାଇ, ତା’ପରେ ନିଜେ ଖାଇବାର ପରମ୍ପରା ହିଁ ନୂଆଁଖାଇ। ଏହା କୃଷକର ପରିଶ୍ରମର ଝାଳ, ମାଟିର ମହକ ଓ କୃତଜ୍ଞତାର ପର୍ବ ଗଣପର୍ବ।
ଅତୀତରେ ନୂଆଁଖାଇର ରୂପ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଚୌହାନ ରାଜାଙ୍କ ସମୟରୁ ଏହି ପର୍ବ ରାଜକୀୟ ମର୍ଯ୍ୟାଦା ପାଇ ଆସିଛି। ଗାଁର ସବୁ ଲୋକ ନୂଆଁ ଧାନର ଚାଉଳ ନେଇ ମନ୍ଦିରକୁ ଯାଉଥିଲେ, ଏକାଠି ନାଚ-ଗୀତ, ଢୋଲ-ନିଶାନର ଆସର। ଯେଉଁମାନେ ବାହାରେ କାମ କରୁଥିଲେ, ସେମାନେ ବି ବାଧ୍ୟତାମୂଳକ ଭାବେ ଘରକୁ ଫେରୁଥିଲେ। ବଡ଼ଙ୍କୁ ଜୁହାର, ସାନଙ୍କୁ ଆଶୀର୍ବାଦ – ଏହି ଥିଲା ଅସଲ ନୂଆଁଖାଇ। ସେତେବେଳେ ଡିଜେ ନଥିଲା, ଫ୍ଲେକ୍ସ୍ ନଥିଲା, ଥିଲା କେବଳ ମାଟିର ଲୋକ ଓ ମାଟିର ମନଲୋଭା ଗନ୍ଧ।
ବର୍ତ୍ତମାନ ନୂଆଁଖାଇ ବିଶ୍ୱ ପ୍ରସିଦ୍ଧ ହୋଇଛି, ସରକାର ଛୁଟି ଦେଉଛନ୍ତି, ଟିଭିରେ ଲାଇଭ୍ ହେଉଛି, ଏହା ଖୁସିର କଥା। କିନ୍ତୁ ଏହା ସହ ଏଥିରେ ପଶି ଆସିଛି ବଜାରବାଦ ଓ ରାଜନୀତି। ନୂଆଁଖାଇ ଭେଟଘାଟ ଏବେ ସମ୍ବର୍ଦ୍ଧନା ସଭା ହୋଇଗଲାଣି। ନେତାଙ୍କ ଭିଡ, ସେଲ୍ଫିର ଭିଡ, ଡିଜେର ଶବ୍ଦରେ ଢୋଲ-ନିଶାନର ଶବ୍ଦ ହଜି ଯାଉଛି। ଅନେକ ଯୁବକ ନୂଆଁଖାଇର ଅର୍ଥ ବୁଝିବା ବଦଳରେ କେବଳ ନୂଆଁ ଡ୍ରେସ ଓ ଇନଷ୍ଟା ରିଲ୍କୁ ନୂଆଁଖାଇ ଭାବୁଛନ୍ତି। କୃଷକ ଯିଏ ଏହି ପର୍ବର ନାୟକ, ସେ ହିଁ ଆଜି ପଛ ଧାଡ଼ିରେ ପଡ଼ିରହିଛି। ତା’କୁ ପଚାରିବାକୁ କେହି ନାହାଁନ୍ତି। ଚିର ଅବହେଳିତ ମାଟିର ସନ୍ତାନ…!
ନୂଆଁଖାଇର ଭବିଷ୍ୟତ ଆମ ହାତରେ। ଯଦି ଏହାକୁ କେବଳ ଏକ ସରକାରୀ ଛୁଟି ଓ ଭୋଜିଭାତର ଦିନ କରିଦେବା, ତେବେ ଏହାର ଆତ୍ମା ମରିଯିବ। ଭବିଷ୍ୟତରେ ନୂଆଁଖାଇକୁ ବଞ୍ଚାଇବାକୁ ହେଲେ ତିନୋଟି କାମ କରିବାକୁ ପଡିବ। ପ୍ରଥମରେ ଯୁବପିଢିଙ୍କୁ ଏହାର କୃଷି ସହ ସମ୍ପର୍କ ବୁଝାଇବାକୁ ପଡିବ। ଦ୍ୱିତୀୟରେ ନୂଆଁଖାଇକୁ କେବଳ ଭାଷଣ ନୁହେଁ, ସମ୍ବଲପୁରୀ ଭାଷା, ସଙ୍ଗୀତ, ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେବାର ମଞ୍ଚ କରିବା ପାଇଁ ମିଳିତ ପ୍ରଚେଷ୍ଟା ଦିଗରେ ଅଗ୍ରସର ହେବା, ଏବଂ ତୃତୀୟରେ ଏହାକୁ ରାଜନୀତିର ମଞ୍ଚ ନକରି ମାଟିର ମଞ୍ଚ କରି ରଖିବା।
ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ପରିଚୟ। ଏହାର ଅତୀତ ଆମକୁ ଗର୍ବ ଦେଇଛି, ବର୍ତ୍ତମାନ ଆମକୁ ପ୍ରସିଦ୍ଧି ଦେଇଛି, ଆଉ ଭବିଷ୍ୟତରେ ଏହା ଆମକୁ ଏକତା ସୂତ୍ରରେ ବାନ୍ଧି ରଖିବ। ନୂଆଁ ଚାଉଳ ଖାଇବା ପୂର୍ବରୁ ନୂଆଁ ଚିନ୍ତାଧାରାକୁ ଆପଣାନ୍ତୁ – ଯେଉଁ ମାଟି ଆମକୁ ସବୁକିଛି ଦେଇଛି, ତାକୁ ଅନ୍ତରରୁ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ମାନ କରିବା। ନୁଆଁଖାଇ ଜୁହାର l



