ସେମିକନ୍ ଇଣ୍ଡିଆ ୨୦୨୬ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ, ୧୬/୯: ଭାରତର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ ଆସନ୍ତା ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ। ନୂଆଦିଲ୍ଲୀସ୍ଥିତ ଯଶୋଭୂମିରେ ସକାଳ ପ୍ରାୟ ୧୦ଟାରେ ଏହି କାର୍ଯ୍ୟକ୍ରମ ହେବ। ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସମୂହକୁ ସମ୍ବୋଧିତ କରିବେ।
ତିନିଦିନିଆ ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ୧୭ରୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ରହିଛି—‘ସିଲିକନ୍ରୁ ସିଷ୍ଟମ୍ ପର୍ଯ୍ୟନ୍ତ: ଇକୋସିଷ୍ଟମ୍ ଗଠନ’। ଏଥିରେ ଭାରତ ଓ ବିଶ୍ୱର ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ମୂଲ୍ୟଶୃଙ୍ଖଳା ସହ ଜଡ଼ିତ କମ୍ପାନୀ, ନୀତି ନିର୍ମାତା, ନିବେଶକ, ଗବେଷକ, ଷ୍ଟାର୍ଟଅପ୍, ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀ ଯୋଗଦେବେ।
ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତରେ ସହଯୋଗ, ନିବେଶ, ନବସୃଜନ ଓ ପ୍ରତିଭା ବିକାଶକୁ ଗତି ଦେବା। ଏହା ସହିତ ଡିସ୍ପ୍ଲେ ଶିଳ୍ପର ଅଗ୍ରଗତି, ଆନ୍ତର୍ଜାତୀୟ ସହଯୋଗ ଓ ଯୁଗ୍ମ ଉଦ୍ୟମକୁ ସୁଗମ କରିବା ପାଇଁ ଛଅଟି କଣ୍ଟ୍ରି ରାଉଣ୍ଡଟେବୁଲ୍, ମହିଳା ନେତୃତ୍ୱକୁ ନେଇ ବିଶେଷ ମଞ୍ଚ ଏବଂ ଅନେକ ସମାନ୍ତରାଳ ଅଧିବେଶନ ଆୟୋଜିତ ହେବ।
ସେମିକନ୍ ଇଣ୍ଡିଆ ୨୦୨୬ରେ ସେମିକଣ୍ଡକ୍ଟର ସାମଗ୍ରୀ, ଯନ୍ତ୍ରପାତି ଓ ଚିପ୍ ଡିଜାଇନ୍ରୁ ଆରମ୍ଭ କରି ଚିପ୍ ନିର୍ମାଣ, ଉନ୍ନତ ପ୍ୟାକେଜିଂ, ଇଲେକ୍ଟ୍ରୋନିକ୍ସ ଓ ସିଷ୍ଟମ୍ ପର୍ଯ୍ୟନ୍ତ ସମଗ୍ର ମୂଲ୍ୟଶୃଙ୍ଖଳାକୁ ପ୍ରଦର୍ଶିତ କରାଯିବ। ‘ବାଲିରୁ ସିଲିକନ୍, ସିଲିକନ୍ରୁ ସିଷ୍ଟମ୍’ ନାମକ ନୂଆ ଅନୁଭୂତିମୂଳକ ପ୍ରଦର୍ଶନୀରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ର ସମଗ୍ର ଯାତ୍ରାକୁ ଦର୍ଶାଯିବ।
ଆୟୋଜକଙ୍କ ଆକଳନ ଅନୁସାରେ, ସମ୍ମିଳନୀରେ ୫୨ଟି ଦେଶର ୬୦୦ରୁ ଅଧିକ କମ୍ପାନୀ ଓ ପ୍ରତିନିଧି ଅଂଶଗ୍ରହଣ କରିବେ। ପ୍ରାୟ ୫୦ ହଜାର ଦର୍ଶକ ଏହି ଆୟୋଜନରେ ଯୋଗଦେବାର ଆଶା ରହିଛି। ଏଥିରେ ୪୦୦ରୁ ଅଧିକ ଅଧିକାରୀ ଓ ୧୫୦ରୁ ଅଧିକ ବକ୍ତା ଅଂଶ ନେବେ।
ପ୍ରଦର୍ଶନୀରେ ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡ, ସିଙ୍ଗାପୁର ଓ ସ୍ୱିଡେନ୍ର ଛଅଟି କଣ୍ଟ୍ରି ପାଭିଲିଅନ୍ ରହିବ। ଏହା ବ୍ୟତୀତ ୧୨ଟି ରାଜ୍ୟ ବୁଥ୍, ଷ୍ଟାର୍ଟଅପ୍ ପାଭିଲିଅନ୍, ଇନୋଭେସନ୍ ଶୋକେସ୍, ଛାତ୍ରଛାତ୍ରୀଙ୍କ ହ୍ୟାକାଥନ୍ ଓ ୱାର୍କଫୋର୍ସ ଡେଭେଲପମେଣ୍ଟ ପାଭିଲିଅନ୍ ମଧ୍ୟ ଆୟୋଜିତ ହେବ। ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ଏକ ଦୃଢ଼ ସ୍ଥାନ ଦେବାରେ ଏହି ଆୟୋଜନ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ ବୋଲି ଆଶା କରାଯାଉଛି।



