ୱାଶିଂଟନ: ରୁଷିଆରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକ ଉପରେ କଠୋର ଆର୍ଥିକ ପଦକ୍ଷେପ ନେବାକୁ ଆମେରିକା ସଂସଦ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିଛି। ‘ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ ଆକ୍ଟ ଅଫ୍ ୨୦୨୬’ ନାମକ ଏହି ବିଲ୍ ଆମେରିକାର ପ୍ରତିନିଧି ସଭାରେ ୨୬୨-୧୫୯ ଭୋଟରେ ପାରିତ ହୋଇଛି।
ବିଲ୍ରେ ରୁଷିଆରୁ ତେଲ ଓ ପ୍ରାକୃତିକ ଗ୍ୟାସ୍ କିଣୁଥିବା ପ୍ରମୁଖ ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲାଗୁ କରିବାର ଅଧିକାର ଆମେରିକା ରାଷ୍ଟ୍ରପତିଙ୍କୁ ଦେବାର ବ୍ୟବସ୍ଥା ରହିଛି। ଏଥିରେ ଭାରତ ଓ ଚୀନ୍ ଭଳି ରୁଷିଆର ପ୍ରମୁଖ ଶକ୍ତି ଆମଦାନିକାରୀ ଦେଶ ପ୍ରଭାବିତ ହୋଇପାରନ୍ତି।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଲ୍ ପାରିତ ହେବା ମାତ୍ରେ ଭାରତୀୟ ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲାଗୁ ହୋଇନାହିଁ। ଏହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏପରି ଶୁଳ୍କ ଲାଗୁ କରିବାର ଅଧିକାର ଦେଉଛି। ବିଲ୍ଟି ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପାଇଁ ଅପେକ୍ଷାରତ।
ଏହା ପୂର୍ବରୁ ଆମେରିକା ସେନେଟ୍ରେ ମଧ୍ୟ ବିଲ୍ଟି ପାରିତ ହୋଇଥିଲା। ରୁଷିଆର ଶକ୍ତି କ୍ଷେତ୍ର, ବ୍ୟାଙ୍କିଂ ବ୍ୟବସ୍ଥା ଓ ପ୍ରତିବନ୍ଧକ ଏଡ଼ାଇବାରେ ବ୍ୟବହୃତ ଜାହାଜ ଉପରେ ମଧ୍ୟ ନୂଆ କଟକଣାର ବ୍ୟବସ୍ଥା ରହିଛି।
ଏହି ବିକାଶ ଉପରେ ଭାରତ ସରକାର ନଜର ରଖିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ନିଜର ଶକ୍ତି ସୁରକ୍ଷା ନିଶ୍ଚିତ କରିବା ସହ ବାଣିଜ୍ୟ ଓ ଆର୍ଥିକ ସ୍ୱାର୍ଥର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବ।



