୨୦ତମ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୯/୦୯: ଦେଶର ଯୁବପିଢ଼ିଙ୍କୁ ସରକାରୀ ଚାକିରିର ସୁଯୋଗ ଯୋଗାଇବା ଦିଗରେ ଆଉ ଏକ ପଦକ୍ଷେପ ଭାବେ ଆସନ୍ତାକାଲି ୧୯ ସେପ୍ଟେମ୍ବର ୨୦୨୬ରେ ୨୦ତମ ରୋଜଗାର ମେଳା ଆୟୋଜିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ।
ପ୍ରଧାନମନ୍ତ୍ରୀ ଦିନ ୧୨ଟା ୩୦ ମିନିଟ୍ ସମୟରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ।
ଦେଶର ୪୫ଟି ସ୍ଥାନରେ ଏକସଙ୍ଗେ ରୋଜଗାର ମେଳା ଆୟୋଜିତ ହେବ। ଏହି ପ୍ରକ୍ରିୟାରେ ନିଯୁକ୍ତି ପାଇଥିବା ଯୁବମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଯୋଗଦେବେ। ଏଥିରେ ରାଜସ୍ୱ ବିଭାଗ, ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ସଂସ୍ଥା ରହିଛି।
ରୋଜଗାର ମେଳା ମାଧ୍ୟମରେ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦେଶର ବିକାଶ ପ୍ରକ୍ରିୟାରେ ସେମାନଙ୍କ ଅଧିକ ଭାଗିଦାରି ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱକୁ ଏହି କାର୍ଯ୍ୟକ୍ରମ ପ୍ରତିଫଳିତ କରୁଛି।
୨୦ତମ ରୋଜଗାର ମେଳା ସହିତ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ରୋଜଗାର ମେଳା ଜରିଆରେ ଏପର୍ଯ୍ୟନ୍ତ ପ୍ରାୟ ୧୨.୭୫ ଲକ୍ଷ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି।



