ଏନସିଏଲର ‘ବିଶେଷ ଅଭିଯାନ ୬.୦’ ଆରମ୍ଭ: ସ୍ୱଚ୍ଛତା ସହ ଇ-ବର୍ଜ୍ୟ ପରିଚାଳନା ଓ ରେକର୍ଡ ସମୀକ୍ଷା ଉପରେ ଗୁରୁତ୍ୱ
ସିଙ୍ଗରୌଲି, ୧୮/୦୯: କୋଇଲା ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ କୋଲ୍ ଇଣ୍ଡିଆର ସିଙ୍ଗରୌଲିସ୍ଥିତ ପ୍ରମୁଖ ସହାୟକ କମ୍ପାନୀ ନର୍ଦର୍ନ କୋଲଫିଲ୍ଡସ୍ ଲିମିଟେଡ୍ (ଏନସିଏଲ୍) ପକ୍ଷରୁ ‘ବିଶେଷ ଅଭିଯାନ ୬.୦’ର ପ୍ରାରମ୍ଭିକ ପର୍ଯ୍ୟାୟ ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୫ରୁ ୩୦ ପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟ ଚାଲିବାକୁ ଥିବାବେଳେ ଅଭିଯାନର ମୁଖ୍ୟ କାର୍ଯ୍ୟକାରୀ ପର୍ଯ୍ୟାୟ ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ଚାଲିବ।
ଅଭିଯାନ ମାଧ୍ୟମରେ ଇ-ବର୍ଜ୍ୟ ପରିଚାଳନା, ସ୍ୱଚ୍ଛତା, କାର୍ଯ୍ୟାଳୟ ପରିସରର ସୌନ୍ଦର୍ଯ୍ୟକରଣ, ରେକର୍ଡ ପରିଚାଳନା, ସ୍କ୍ରାପ୍ ନିଷ୍ପତ୍ତି ଏବଂ ଅବ୍ୟବହୃତ ସ୍ଥାନର ସର୍ବୋତ୍ତମ ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ଏହି ପର୍ଯ୍ୟାୟରେ ଏନସିଏଲ୍ ପକ୍ଷରୁ ୯୦ଟି ଚିହ୍ନିତ ସ୍ଥାନ ସଫେଇ କରିବା ସହ ୧ ଲକ୍ଷ ବର୍ଗଫୁଟ୍ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଚଳାଇବାର ଲକ୍ଷ୍ୟ ରଖାଯାଇଛି। ଏଥିସହ ପ୍ରାୟ ୩,୫୦୦ ମେଟ୍ରିକ୍ ଟନ୍ ସ୍କ୍ରାପ୍ ନିଷ୍ପତ୍ତି କରିବାକୁ ମଧ୍ୟ ଯୋଜନା ରହିଛି।
ରେକର୍ଡ ପରିଚାଳନାକୁ ଅଧିକ ସୁସଂଗଠିତ କରିବା ଲକ୍ଷ୍ୟରେ ୪୦୦ଟି ଫିଜିକାଲ୍ ଫାଇଲ୍ ଏବଂ ୯,୦୦୦ଟି ଇ-ଫାଇଲ୍ ସମୀକ୍ଷା କରାଯିବ। ପୁରୁଣା ରେକର୍ଡର ଇଣ୍ଡେକ୍ସିଂ, ଆର୍କାଇଭିଂ, ସ୍କାନିଂ ଓ ଡିଜିଟାଇଜେସନ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ଚିହ୍ନଟ ହେବ ସ୍ୱଚ୍ଛତା ପାଇଁ ପ୍ରାଥମିକ ସ୍ଥାନ
ଅଭିଯାନର ସଫଳ ରୂପାୟଣ ପାଇଁ ଏନସିଏଲର ବିଭିନ୍ନ କ୍ଷେତ୍ର ଓ ୟୁନିଟ୍ରେ ନୋଡାଲ୍ ଟିମ୍ ଗଠନ କରାଯାଇଛି। ସ୍ୱତନ୍ତ୍ର ରକ୍ଷଣାବେକ୍ଷଣ ଆବଶ୍ୟକ ଥିବା ସ୍ଥାନଗୁଡ଼ିକ ଚିହ୍ନଟ କରି ସେଠାରେ ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ।
‘ଆଡପ୍ଟ-ଏ-ସ୍ପଟ୍’ ପଦକ୍ଷେପ ଅଧୀନରେ ଚିହ୍ନିତ ସ୍ଥାନଗୁଡ଼ିକର ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ୱଚ୍ଛତା ଟିମ୍ଗୁଡ଼ିକ ନେବେ। ଆବଶ୍ୟକତା ଅନୁଯାୟୀ ବୃକ୍ଷରୋପଣ ଓ ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯିବ।
ଇ-ବର୍ଜ୍ୟ ପରିଚାଳନା ଓ ‘ୱେଷ୍ଟ୍ ଟୁ ୱେଲ୍ଥ୍’ ଉପରେ ଫୋକସ୍
ଅଭିଯାନରେ ଇ-ବର୍ଜ୍ୟ, ଇଲେକ୍ଟ୍ରୋନିକ୍ ସ୍କ୍ରାପ୍ ଓ ପ୍ଲାଷ୍ଟିକ୍ ବର୍ଜ୍ୟକୁ ଚିହ୍ନଟ, ସଂଗ୍ରହ ଓ ପୃଥକୀକରଣ କରାଯିବ। ଚିହ୍ନଟ ଇ-ବର୍ଜ୍ୟର ସୁରକ୍ଷିତ ନିଷ୍ପତ୍ତି ଓ ରିସାଇକ୍ଲିଂ ସୁନିଶ୍ଚିତ କରାଯିବ। ‘ୱେଷ୍ଟ୍ ଟୁ ୱେଲ୍ଥ୍’ ଧାରଣା ଅନୁଯାୟୀ ଅବ୍ୟବହୃତ ସାମଗ୍ରୀର ପୁନଃବ୍ୟବହାର ଓ ଉପଯୋଗୀ ସମ୍ପଦରେ ପରିଣତ କରିବା ପାଇଁ ମଧ୍ୟ ନୂଆ ପଦକ୍ଷେପ ନିଆଯିବ।
ଏଥିସହ କାର୍ଯ୍ୟାଳୟରେ ଅବ୍ୟବହୃତ ସ୍ଥାନ, ପୁରୁଣା ଫାଇଲ୍, ଫର୍ଣ୍ଣିଚର୍, ସ୍କ୍ରାପ୍ ଓ ଅନ୍ୟାନ୍ୟ ଅନାବଶ୍ୟକ ସାମଗ୍ରୀ ଚିହ୍ନଟ କରି ପୁନଃବ୍ୟବହାର, ନିଷ୍ପତ୍ତି କିମ୍ବା ସ୍କ୍ରାପିଂ ପାଇଁ ବର୍ଗୀକରଣ କରାଯିବ।
ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ
ସ୍ୱଚ୍ଛତା ଓ ପରିବେଶ ସଚେତନତା ବଢ଼ାଇବା ପାଇଁ ଏନସିଏଲ୍ କର୍ମଚାରୀଙ୍କ ସହ ବିଭିନ୍ନ ହିତଧାରୀଙ୍କୁ ମଧ୍ୟ ସାମିଲ କରାଯିବ। ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ, ୱାକାଥନ୍, ଶ୍ରମଦାନ, ନୁକ୍କଡ଼ ନାଟକ, ରାଲି, ୱାଲ୍ ପେଣ୍ଟିଂ, ପ୍ରବନ୍ଧ ଲେଖନ ଓ କୁଇଜ୍ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ବିଶେଷ ଅଭିଯାନ ୫.୦ରେ ମଧ୍ୟ ଉଲ୍ଲେଖନୀୟ ସଫଳତା
ଗତ ବିଶେଷ ଅଭିଯାନ ୫.୦ ସମୟରେ ଏନସିଏଲ୍ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ କାର୍ଯ୍ୟ ସମ୍ପାଦନ କରିଥିଲା। ୭୫ଟି ସ୍ଥାନ ସଫେଇ ଲକ୍ଷ୍ୟ ବଦଳରେ ୯୧ଟି ସ୍ଥାନ ସଫା କରାଯାଇଥିଲା। ସେହିପରି ୮୫,୦୦୦ ବର୍ଗଫୁଟ୍ ଲକ୍ଷ୍ୟ ବଦଳରେ ୧,୦୦,୪୦୦ ବର୍ଗଫୁଟ୍ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ହୋଇଥିଲା।
୨,୫୦୦ ମେଟ୍ରିକ୍ ଟନ୍ ସ୍କ୍ରାପ୍ ନିଷ୍ପତ୍ତି ଲକ୍ଷ୍ୟ ବଦଳରେ ୩,୪୫୯ ମେଟ୍ରିକ୍ ଟନ୍ ସ୍କ୍ରାପ୍ ନିଷ୍ପତ୍ତି କରାଯାଇ ୧୬,୫୫,୧୪,୮୮୮ ଟଙ୍କା ରାଜସ୍ୱ ହାସଲ ହୋଇଥିଲା। ଏହାଛଡ଼ା ୩୫୦ଟି ଫାଇଲ୍ ସମୀକ୍ଷା ଲକ୍ଷ୍ୟ ବଦଳରେ ୩୭୧ଟି ଫାଇଲ୍ ସମୀକ୍ଷା କରାଯାଇଥିଲା ଏବଂ ୧୮୦ଟି ଅନାବଶ୍ୟକ ଫାଇଲ୍ ୱିଡ୍-ଆଉଟ୍ କରାଯାଇଥିଲା। ଏହିପରି ୯,୦୦୦ ଇ-ଫାଇଲ୍ ସମୀକ୍ଷା ଲକ୍ଷ୍ୟ ବଦଳରେ ୯,୮୦୦ ଇ-ଫାଇଲ୍ ସମୀକ୍ଷା କରାଯାଇ ୫,୫୦୦ ଇ-ଫାଇଲ୍ ବନ୍ଦ କରାଯାଇଥିଲା।



