ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଭାଦ୍ରବ ମାସର ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀ ନୀତି ପାଳିତ
ଢେଙ୍କାନାଳ: କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପବିତ୍ର ଭାଦ୍ରବ ମାସର ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀ ନୀତି ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ପ୍ରାତଃ ସମୟରୁ ଠାକୁରଙ୍କ ମଙ୍ଗଳ ଆଳତି, ସ୍ନାନ, ନୂତନ ବସ୍ତ୍ର ପରିଧାନ, ତୁଳସୀ ହାର ଓ ଫୁଲ ହାର ଲାଗି ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ସକାଳ ପ୍ରାୟ ୧୦ଟା ସମୟରେ ଖେଚେଡ଼ି ଭୋଗ ଅର୍ପଣ କରାଯାଇଥିଲା।
ମଧ୍ୟାହ୍ନରେ ଅନ୍ନଧୂପ, ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଏବଂ ରାତ୍ରିରେ ରାତ୍ରଧୂପ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଏକାଦଶୀ ବେଢ଼ା ଓ ମହାଦୀପ ମନ୍ଦିର ଉପରକୁ ଉଠିବା ପରେ ଠାକୁରଙ୍କ ପହଡ଼ ନୀତି ସମ୍ପନ୍ନ ହେବ।
ପୂଜକ ମଳୟ କର ଓ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ପାଳିତ ହୋଇଥିଲା।
ଏହି ପବିତ୍ର ଅବସରରେ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।



