ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା–୨୦୨୬ ଅନୁଷ୍ଠିତ
ଢେଙ୍କାନାଳ, 18 ସେପ୍ଟେମ୍ବର: ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ପ୍ରେକ୍ଷାଳୟରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଢେଙ୍କାନାଳର ମିଳିତ ଆନୁକୂଳ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା–୨୦୨୬ ଅନୁଷ୍ଠିତ ହୋଇଯାଇଛି।
ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ,ସଂସ୍କୃତି ମନ୍ତ୍ରଣାଳୟ,ଭାରତ ସରକାରର ଏକକ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର,ଢେଙ୍କାନାଳ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ଢେଙ୍କାନାଳ (ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର)ଙ୍କ ମିଳିତ ଆନୁକୂଳ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା–୨୦୨୬ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମକୁ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ ଓ ଡି.ଏସ୍.ଏସ୍. ବିଶ୍ୱଜିତ ମିଶ୍ର ଉଦ୍ଘାଟନ କରିଥିଲେ। ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ (ADEO) ସୌମ୍ୟଶ୍ରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଗଢ଼ି ତୋଳିବାରେ ବିଜ୍ଞାନ ନାଟକର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
‘ବିଜ୍ଞାନ ଓ ସମାଜ’ ବିଷୟକୁ ଆଧାର କରି ବ୍ଲକ୍ ସ୍ତରରୁ ଚୟନିତ ୧୦ଟି ବିଜୟୀ ନାଟକ ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଦଳ ବୈଜ୍ଞାନିକ ଚିନ୍ତାଧାରା, ପରିବେଶ, ସ୍ୱାସ୍ଥ୍ୟ ଓ ସାମାଜିକ ସଚେତନତା ଉପରେ ଆଧାରିତ ନାଟକ ପରିବେଷଣ କରିଥିଲେ।
ପ୍ରତିଯୋଗିତାରେ ଭାଗୀରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଭାଗୀରଥପୁର ଶ୍ରେଷ୍ଠ ବିଜ୍ଞାନ ନାଟକ ଭାବେ ବିବେଚିତ ହୋଇଥିଲା। ଏହି ଦଳ ମୟୂରଭଞ୍ଜରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଜୋନ–୧ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ପ୍ରତିନିଧିତ୍ୱ କରିବ।
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗ ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ। ଶେଷରେ ବିଜୟୀ ଓ ଅଂଶଗ୍ରହଣକାରୀ ସମସ୍ତ ଦଳଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।



