ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ହିନ୍ଦୋଳରେ ଟାଟା ଷ୍ଟିଲ୍ର ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
~ ଢେ଼ଙ୍କାନାଳ ଜିଲ୍ଳାରେ ଟାଟା ଷ୍ଟିଲ ନିର୍ମାଣ କରିଥିବା ୩ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ହିନ୍ଦୋଳ ବିଦ୍ୟାଳୟ ଅନ୍ୟତମ

ହିନ୍ଦୋଳ, ୨୩ ସେପ୍ଟେମ୍ବର ୨୦୨୬: ଟାଟା ଷ୍ଟିଲ୍ ପକ୍ଷରୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍, ଭୁବନେଶ୍ୱରର ସହଯୋଗରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (YATS)ର ୨୦ତମ ସଂସ୍କରଣର ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ହିନ୍ଦୋଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ହୋଇଛି।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ହିନ୍ଦୋଳ ଟାଟା ଷ୍ଟିଲ୍ ପକ୍ଷରୁ ନିର୍ମାଣ କରାଯାଇ ୨୦୧୯ ମସିହାରେ ଉଦ୍ଘାଟିତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। ସମୁଦାୟର ବୃହତ୍ତର ସ୍ୱାର୍ଥରେ ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସହଯୋଗ କରିବା ଦିଗରେ ଟାଟା ଷ୍ଟିଲ୍ର ପ୍ରତିବଦ୍ଧତାର ଅଂଶ ଭାବେ ଏହି ପଦକ୍ଷେପ ନିଆଯାଇଥିଲା। ରାଜ୍ୟରେ ଏଭଳି ୩୦ଟି ବିଦ୍ୟାଳୟ ନିର୍ମାଣ କରିବାକୁ କମ୍ପାନୀ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।

ଏହି ପଦକ୍ଷେପର ଅଂଶ ଭାବେ ଟାଟା ଷ୍ଟିଲ୍ ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ଏବଂ କାମାକ୍ଷାନଗର ବ୍ଲକ୍ରେ ମଧ୍ୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସାମଗ୍ରିକ ବିକାଶ ପାଇଁ ଏକ ଅନୁକୂଳ ପରିବେଶ ଯୋଗାଇବା ଉଦ୍ଦେଶ୍ୟରେ ଏହି ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଶିକ୍ଷା ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି।

ହିନ୍ଦୋଳସ୍ଥିତ ଏହି ଦୁଇ ମହଲା ବିଶିଷ୍ଟ ବିଦ୍ୟାଳୟ ଭବନରେ ସ୍ୱତନ୍ତ୍ର କମ୍ପ୍ୟୁଟର ରୁମ୍, ପାଠାଗାର, ପରୀକ୍ଷାଗାର, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଷ୍ଟାଫ୍ ରୁମ୍, ଶୌଚାଳୟ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ରହିଛି। ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପରିଚାଳନାଧୀନ ଏହି ବିଦ୍ୟାଳୟ ଅଞ୍ଚଳର ଶିଶୁମାନଙ୍କ ଶିକ୍ଷା ଆବଶ୍ୟକତା ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।
ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (YATS) କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ଓ ଉତ୍ସୁକତା ସୃଷ୍ଟି କରିବା। ଏହି କାର୍ଯ୍ୟକ୍ରମରେ ଷଷ୍ଠରୁ ଦଶମ ଶ୍ରେଣୀର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏମ୍ସିକ୍ୟୁ ପରୀକ୍ଷାରେ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ।

କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ର ପ୍ରତିନିଧି, ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।
ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଏଭଳି YATS କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।





