ଗଞ୍ଜାମ ଉପକୂଳ ଆଡ଼କୁ ଅବପାତର ଗତି; ରାତିରେ ସ୍ଥଳଭାଗ ଛୁଇଁପାରେ, ୨୫ ପର୍ଯ୍ୟନ୍ତ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତକୁ ନେଇ ଓଡ଼ିଶାରେ ପାଣିପାଗ ପୁଣି ସକ୍ରିୟ ହୋଇଛି। ଅବପାତଟି ଓଡ଼ିଶା ଉପକୂଳ ସମାନ୍ତରାଳରେ ଗତି କରୁଥିବା ବେଳେ ଆଜି ରାତିରେ ଗଞ୍ଜାମ ଜିଲ୍ଲା ଉପକୂଳର କୌଣସି ଏକ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିପାରେ। ଶିକ୍ଷା ‘ଓ’ ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ଏନଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ୍ (CEC) ପକ୍ଷରୁ ଜାରି ବୁଲେଟିନରେ ଏହି ସୂଚନା ଦିଆଯାଇଛି।
CEC ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ବାୟୁମଣ୍ଡଳରେ ୱିଣ୍ଡ ଶିୟର୍ ବୃଦ୍ଧି ପାଇଥିବାରୁ ଅବପାତ ସହ ଜଡ଼ିତ ମେଘମାଳା ଧୀରେ ଧୀରେ ଦୁର୍ବଳ ହେଉଛି। ଫଳରେ ଅବପାତଟି ଆହୁରି ଶକ୍ତିଶାଳୀ ହୋଇ ‘ଗଭୀର ଅବପାତ’ରେ ପରିଣତ ହେବାର ସମ୍ଭାବନା କମିଛି।
ସ୍ଥଳଭାଗ ଅତିକ୍ରମ ପରେ ଅବପାତଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଛତିଶଗଡ଼ ଆଡ଼କୁ ଯିବ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଭାରତ ଦିଗକୁ ଅଗ୍ରସର ହେବାର ସମ୍ଭାବନା ରହିଛି।
୨୫ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
ଅବପାତର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରଭାବ ଆହୁରି କିଛି ଦିନ ରହିପାରେ। ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିପାରେ।
ତେଣୁ ଅବପାତର ଗତିପଥ ଓ ଏହାର ପ୍ରଭାବ ଉପରେ ନଜର ରଖିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ସତର୍କ ସୂଚନା ପ୍ରତି ଲୋକଙ୍କୁ ସଚେତନ ରହିବାକୁ କୁହାଯାଇଛି।



