ସାଆନ୍ତରାପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଗଠିତ

ଜେ ବି ଏନ୍,୨୫/୧୨/୨୦୨୦(ରିପୋର୍ଟ ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲାର ଜରପଡା ଥାନା ତଥା ବଅଁରପାଳ ବ୍ଲକ ଅନ୍ତର୍ଗତ ସାଆନ୍ତରାପୁର (କ)ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ବୈଠକ ଶୁକ୍ରବାର ସ୍ଥାନୀୟ ପଞ୍ଚାୟତ ଅଫିସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ରେଣୁକା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମହିଳା ମହାସଂଘ ଗଠନ କରାଯିବା ପାଇଁ ବ୍ଲକ ପ୍ରଶାସନ ତଥା ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସ୍ୱତନ୍ତ୍ର ଭାବେ ସରକାରୀ ଗାଇଡ ଲାଇନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ମହାସଂଘ ଗଠନ କରାଯିବା ଲକ୍ଷ୍ୟ ଉଦେଶ୍ୟ ଏହାର ଆବଶ୍ୟକତା ଏପରିକି ସଫଳତା ଉପରେ ଆଲୋକପାତ କରାଯାଇଥିଲା । ଶେଷରେ ସର୍ବ ସମ୍ମତି କ୍ରମେ ମହାସଂଘ (ଜିପିଏଲ୍ଏଫ୍) ସୁପରିଚାଳନା ନିମନ୍ତେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏଥିରେ ସଭାନେତ୍ରୀ ଭାବେ ସନ୍ଧ୍ୟାରାଣୀ ଗଡ଼ନାୟକ , ସମ୍ପାଦିକା ପଦବୀରେ ପ୍ରମିଳା ପ୍ରଧାନ,ଉପ ସଭାନେତ୍ରୀ ଭାବେ ବିଜୁଳି ସାହୁ ,ଯୁଗ୍ମ ସମ୍ପାଦିକା ଭାବେ ନିରୂପମା ସାହୁ , କୋଷାଧ୍ୟକ୍ଷା ଭାବେ ଲକ୍ଷ୍ମୀ ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି । ଏହି ବୈଠକରେ ବରିଷ୍ଠ ଗୋଷ୍ଠୀ ସହାୟିକା ମମତା ସାହୁ ଓ ଝୁନୁ ବେହେରା ଯୋଗ ଦେଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ପ୍ରାୟ ୮୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ତଥା ସଦସ୍ୟା ମାନେ ଉପସ୍ଥିତ ଥିଲେ ।




