ପାନୀୟ ଜଳ ଯୋଗାଣ ଓ ଧାନ ସଂଗ୍ରହ ବ୍ୟବସ୍ଥାକୁ ବ୍ୟବସ୍ଥିତ ଭାବେ କରାଯିବ : ଉପାଧକ୍ଷ୍ୟ।
(ଜେ. ବି. ଏନ୍ /ସୁଶାନ୍ତ କୁମାର) ୨୯/୧୨ /୨୦୨୦
ଅନୁଗୋଳ : ଅନୁଗୋଳ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଥିବା ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା , ଖରିଫ ଧାନ ସଂଗ୍ରହ ଓ ପାନୀୟ ଜଳ ଯୋଗାଣର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ନିମନ୍ତେ ରାଜ୍ୟ ଯୋଜନା ବୋର୍ଡର ଉପାଧକ୍ଷ୍ୟ ଶ୍ରୀ ସଂଜୟ କୁମାର ଦାସ ବର୍ମା ଆଜି ଅନୁଗୋଳ ଗସ୍ତରେ ଆସିଥିଲେ । ଅପରାହ୍ନରେ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଉପାଧକ୍ଷ୍ୟ ଯୋଗ ଦେଇ ପାନୀୟ ଜଳ ଯୋଗାଣ ଓ ଧାନ ସଂଗ୍ରହ ବ୍ୟବସ୍ଥାକୁ ବ୍ୟବସ୍ଥିତ ଭାବେ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ , ଅନୁଗୋଳ ବିଧାୟକ ତଥା ବିଧାନ ସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ , ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ , ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା , ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ , ପାଳଲହଡା ବିଧାୟକ ଶ୍ରୀ ମୁକେଶ କୁମାର ପାଲ ପ୍ରମୁଖ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଉପାଧକ୍ଷ୍ୟକ ଦୃଷ୍ଟି ଆକର୍ଷଣ କରିଥଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା , ଖରିଫ ଧାନ ସଂଗ୍ରହ ଓ ପାନୀୟ ଜଳ ଯୋଗାଣର ସଠିକ୍ କାର୍ଯ୍ୟକାରିତା ସମ୍ପର୍କରେ ଉପାଧକ୍ଷ୍ୟକ ଦୃଷ୍ଟି ଆକର୍ଷଣ କରିଥିଲେ । ଖରିଫ ଧାନ ସଂଗ୍ରହ ନିମନ୍ତେ ଚଳିତ ବର୍ଷ ୩୫ ହଜାର ୮୭୭ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ପର୍ଯ୍ୟାୟରେ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ୬ ଲକ୍ଷ ୪୪ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୯୭୭ ଜଣ ଚାଷୀଙ୍କ ଠାରୁ ୯୫ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି ବୋଲି ଉପାଧକ୍ଷ୍ୟ ଜାଣିବାକୁ ପାଇଥିଲେ । ଜିଲ୍ଲାରେ ୯୪ଟି ପ୍ରାଥମିକ କୃଷି ସମବାୟ ସମିତି ଦ୍ଵାରା ୮ଟି ମିଲର ଏହି ଧାନ ସଂଗ୍ରହ କରୁଛନ୍ତି । ଜିଲ୍ଲାରେ ଥିବା ଗୋଦାମ ଗୃହ ଗୁଡିକରେ ଖରିଫ ଫସଲ ସଂରକ୍ଷିତ କରି ରଖିବା ନିମନ୍ତେ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରିବାକୁ ଉପାଧକ୍ଷ୍ୟ ପରାମର୍ଶ ଦେଇଛନ୍ତି । ତାଳଚେର ଓ ଆଠମଲ୍ଲିକରେ ୱେର ହାଉସ ମରାମତି କରାଯାଇ କାର୍ଯ୍ୟକ୍ଷମ କରିବାକୁ ଉପାଧକ୍ଷ୍ୟ ପରାମର୍ଶ ଦେଇଛନ୍ତି । ୫ଟି ବ୍ଳକୁ ଯଥା ତାଳଚେର , ପାଳଲହଡା , ଛେଣ୍ଡିପଦା , କଣିହାଁ ଓ ବଅଁରପାଳରେ ଚାଲିଥିବା ମେଗା ପାଇପ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇ ଜୁନ ମାସ ସୁଦ୍ଧା ପ୍ରତ୍ୟେକ ଘରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସରାକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଉପାଧକ୍ଷ୍ୟ ପ୍ରକାଶ କରିଥିଲେ।

ଆଠମଲ୍ଲି ଓ କିଶୋରନଗର ବ୍ଳକରେ ପାନୀୟ ଜଳ ଯୋଗାଣ ନିମନ୍ତେ ଆସନ୍ତା ଜାନୁୟାରୀ ୫ ତାରିଖ ସୁଦ୍ଧା ” ଡି ପି ଆର” ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଅନୁଗୋଳ ବ୍ଳକରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ବରାନ୍ବିତ ଭାବେ କରାଯାଇ ବର୍ତ୍ତମାନ ସୁଦ୍ଧା ଶତକଡା ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ ଶିଳ୍ପ ସଂସ୍ଥା ଦ୍ୱାରା ପାଇପ ଯୋଗ ଯୋଗାଇ ଦିଆଯାଉଥିବା ଜଳ ଯୋଗାଣ ବ୍ୟବସ୍ଥା ସହ ସରକାରୀ ଜଳ ଯୋଗାଣ ବ୍ୟବସ୍ଥାକୁ ସଂଯୋଗ କରିବାକୁ ବିଧାୟକମାନେ ମତବ୍ୟକ୍ତ କରିଥଲେ । ଜିଲ୍ଲାରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୭୬ ପ୍ରତିଶତ ସଫଳତା ମିଳିଥିବାରୁ ଉପାଧକ୍ଷ୍ୟ ସନ୍ତୋଷବ୍ୟକ୍ତ କରିଥିଲେ । ସମ୍ପ୍ରତି କରୋନା ସଂକ୍ରମଣରେ ସରକାରଙ୍କ କୋଭିଡ ସହାୟତା ରାଶି ପ୍ରଦାନରେ ଅନୁଗୋଳ ଜିଲ୍ଲା ଶ୍ରେଷ୍ଠ ସ୍ଥାନରେ ଥିବାରୁ ଉପାଧକ୍ଷ୍ୟ ଜିଲ୍ଲାପାଳକ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଚଳିତ ମାସ ଡିସେମ୍ବର ୨୨ ତାରିଖ ସୁଦ୍ଧା ୩ହଜାର ୬୦୬ ଜଣ ହିତାଧିକାରୀଙ୍କୁ ୧୦.୬୬ କୋଟି ଟଙ୍କାର କୋଭିଡ ସହାୟତା ରାଶି ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।




