ବ୍ରିଟେନରେ ଦେଖାଦେଇଥିବା ସାର୍ସ-କୋଭ-2 ଭୂତାଣୁର ନୂଆ ଭାରିଆଣ୍ଟ 20 ଜଣଙ୍କ ଠାରେ ଚିହ୍ନଟ
ବିଗତ 33 ଦିନ ହେଲା ଦୈନିକ ଆରୋଗ୍ୟ ମାମଲା ନୂଆ ଆକ୍ରାନ୍ତ ମାମଲାଠାରୁ ଅଧିକ ହେବା ଦ୍ୱାରା ସକ୍ରିୟ ମାମଲା ସଂଖ୍ୟା ପୁଣି ଖସିଲା
ଭାରତରେ ପ୍ରତି 10 ଲକ୍ଷ ଲୋକରେ ଆକ୍ରାନ୍ତ ଓ ମୃତ୍ୟୁ ମାମଲା ବିଶ୍ୱରେ ସର୍ବନିମ୍ନ

ଜେ ବି ଏନ, ୩୧/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ବ୍ରିଟେନରେ ଦେଖାଦେଇଥିବା ସାର୍ସ-କୋଭ-2 ଭୂତାଣୁର ନୂଆ ଭାରିଆଣ୍ଟ ଭାରତରେ ମୋଟ 20 ଜଣଙ୍କ ଠାରେ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରେ ପୂର୍ବରୁ ଚିହ୍ନଟ ହୋଇଥିବା 6 ଜଣ (ବେଙ୍ଗାଲୁରୁର ଏନଆଇଏମଏଚଏଏନଏସରେ 3 ଜଣ, ହାଇଦ୍ରାବାଦର ସିସିଏମବିରେ 2 ଜଣ ଓ ପୁଣେର ଏନଆଇଭିରେ ଜଣେ) ସାମିଲ ଅଛନ୍ତି । 10 ଲାବୋରେଟୋରିରେ 107 ନମୁନା ପରୀକ୍ଷା କରାଯାଇଛି ଏବଂ ତାହା ନିମ୍ନ ସାରଣୀରେ ପ୍ରଦାନ କରାଗଲା ।
ଭାରତ ସରକାର ଜିନୋମ ସିକ୍ୱେନ୍ସିଙ୍ଗ ପାଇଁ 10ଟି ଲାବ (ଏନଆଇବିଏମଜି କୋଲକାତା, ଆଇଏଲଏସ ଭୁବନେଶ୍ୱର, ଏନଆଇଭି ପୁଣେ, ସିସିଏସ ପୁଣେ, ସିସିଏମବି ହାଇଦ୍ରାବାଦ, ସିଡିଏଫଡି ହାଇଦ୍ରାବାଦ, ଇନଷ୍ଟେମ ବେଙ୍ଗାଲୁରୁ, ଏନଆଇଏମଏଚଏଏନଏସ ବେଙ୍ଗାଲୁରୁ, ଆଇଜିଆଇବି ଦିଲ୍ଲୀ, ଏନସିଡିସି ଦିଲ୍ଲୀ)କୁ ନେଇ ଆଇଏନଏସଏସିଓଜି (ଇଣ୍ଡିଆନ ସାର୍ସ-କୋଭ-2 ଜିନୋମିକ୍ସ କନସୋର୍ଟିୟମ) ଗଠନ କରିଛନ୍ତି । ପରିସ୍ଥିତି ଉପରେ ଯତ୍ନ ସହକାରେ ନଜର ରଖାଯାଇଛି ଏବଂ ଯାଞ୍ଚ ବ୍ୟବସ୍ଥା, କଣ୍ଟେନମେଣ୍ଟ, ଟେଷ୍ଟିଙ୍ଗକୁ ତ୍ୱରାନ୍ୱିତ କରିବା ସହ ଆଇଏନଏସଏସିଓଜି ଲାବଗୁଡ଼ିକୁ ନମୁନା ପଠାଇବା ପାଇଁ ନିୟମିତ ଭାବେ ପରାମର୍ଶ ଦିଆଯାଉଛି ।
ଅନ୍ୟପକ୍ଷରେ ବିଗତ 33 ଦିନ ହେଲା ଦୈନିକ ଆରୋଗ୍ୟ ମାମଲା ଲଗାତର ଭାବେ ନୂଆ ଆକ୍ରାନ୍ତ ମାମଲାଠାରୁ ଅଧିକ ହେବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 20,549 ଲୋକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମାନ ଅବଧିରେ 26,572 ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ଦେଶରେ କରୋନା ସକ୍ରିୟ ମାମଲା ପୁଣି ହ୍ରାସ ପାଇଛି ।
ଆଜିକା ଦିନରେ ଭାରତରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକ ସଂଖ୍ୟା 98,34,141 ରେ ପହଞ୍ଚିଛି । ବିଶ୍ୱରେ ଏହା ସର୍ବାଧିକ । ଦେଶରେ କରୋନା ଆରୋଗ୍ୟ ହାର ପାଖାପାଖି 96% (95.99%)ରେ ପହଞ୍ଚିଛି । ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏବେ ଏହି ବ୍ୟବଧାନ 95,71,869 କୁ ବୃଦ୍ଧି ପାଇଛି ।
ଭାରତର ମୋଟ ସକ୍ରିୟ ମାମଲା 2,62,272 କୁ ଖସିଆସିଛି, ଯାହା ମୋଟ ପଜିଟିଭ ମାମଲାର ମାତ୍ର 2.56% । ନୂଆ ଆରୋଗ୍ୟ ମାମଲା ଦ୍ୱାରା ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା 6309 ହ୍ରାସ ପାଇଛି ।
ବିଶ୍ୱ ସୂଚକାଙ୍କ ସହ ଯଦି ତୁଳନା କରାଯାଏ, ଭାରତର 10 ଲକ୍ଷ ଲୋକରେ ଆକ୍ରାନ୍ତ ମାମଲା ବିଶ୍ୱରେ ସର୍ବନିମ୍ନ (7423) ରହିଛି । ରୁଷ, ଇଟାଲୀ, ବ୍ରିଟେନ, ବ୍ରାଜିଲ, ଫ୍ରାନ୍ସ ଓ ଆମେରିକା ଭଳି ରାଷ୍ଟ୍ରରେ 10 ଲକ୍ଷ ଲୋକରେ ଆକ୍ରାନ୍ତ ମାମଲା ବେଶ ଅଧିକ ରହିଛି ।
ଭାରତରେ ଗତ 24 ଘଣ୍ଟାରେ ଆରୋଗ୍ୟ ଲାଭ କରିଥିବା ମୋଟ ମାମଲା ମଧ୍ୟରୁ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 78.44% ଚିହ୍ନଟ କରାଯାଇଛି ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 5572 ଆକ୍ରାନ୍ତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । କେରଳରେ 5029 ସୁସ୍ଥ ହୋଇଥିବା ବେଳେ ଛତିଶଗଡ଼ରେ 1607 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ନୂଆ ଆକ୍ରାନ୍ତ ମାମଲାରୁ 79.24 % 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ କରାଯାଇଛି ।
କେରଳରେ ଗତ 24 ଘଣ୍ଟାରେ ସର୍ବାଧିକ 5887 ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପଛକୁ ଥିବା ମହାରାଷ୍ଟ୍ରରେ 3018 ନୂଆ ମାମଲା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ 1244 ନୂଆ ମାମଲା ଚିହ୍ନଟ କରାଯାଇଛି ।
ଗତ 24 ଘଣ୍ଟାରେ 286 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ନୂଆ ମୃତ୍ୟୁରେ 79.37% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ କରାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ 68 ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ପଶ୍ଚିମବଙ୍ଗରେ ୩୦ ଓ ଦିଲ୍ଲୀରେ 28 ଜଣଙ୍କ ମୃତ୍ୟୁ ଘଟିଛି ।
ଭାରତରେ କରୋନା ମୃତ୍ୟୁ ଏବେ ୩୦୦ ତଳେ ରହିଆସୁଛି । ଟେଷ୍ଟିଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦ୍ୱାରା ଠିକଣା ସମୟରେ ପଜିଟିଭ ମାମଲା ଚିହ୍ନଟ କରାଯାଇ ପାରୁଛି । ଏହାଦ୍ୱାରା ଠିକ ସମୟରେ ରୋଗୀଙ୍କୁ ପୃଥକ କରାଯିବା ସହ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରୁଛି । ସେତିକି ନୁହେଁ, ସ୍ୱଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଉପରେ ନିୟମିତ ଭାବେ ନଜର ରଖାଯାଉଛି । ମାନକ ଚିକିତ୍ସା ପ୍ରୋଟୋକଲ ପାଳନ କରାଯାଉଛି । ଏହିସବୁ କାରଣରୁ ଦୈନିକ ମୃତ୍ୟୁ ସଂଖ୍ୟା 300 ତଳେ ରହୁଛି ।
ଭାରତରେ କରୋନା ମୃତ୍ୟୁ ନିରନ୍ତର ଭାବେ ହ୍ରାସ ପାଇବାରେ ଲାଗିଛି । ଭାରତରେ 10 ଲକ୍ଷ ଲୋକରେ ମୃତ୍ୟୁ ସଂଖ୍ୟା ବିଶ୍ୱରେ ସର୍ବନିମ୍ନ (107) ରହିଛି ।



