ରାଜ୍ଯ ବାହାରକୁ ଚାଲାଣ ୯୨ ଦାଦନ ଉଦ୍ଧାର
ଜେ. ବି. ଏନ୍ (୦୫/୦୧ /୨୦୨୧), (ରିପୋର୍ଟ୍, ବିନୋଦ କୁମାର ନାୟକ), ନୁଆପଡା : ନୂଆପଡା ଜିଲ୍ଲା ବାହାର ରାଜ୍ୟକୁ ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିକଟସ୍ଥ ବୁଦିଆ ଜଙ୍ଗଲର ନିକଟସ୍ଥ ଏକ ଢାବାରୁ ୯୨ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨ ଜଣ ନାବାଳକ ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରିଛି ଖଡିଆଳ ପୋଲିସ । ଖବର ଅନୁଯାୟୀ , ରବିବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ଖଡ଼ିଆଳ ପୋଲିସ ବୁଦିଆ ଜଙ୍ଗଲର ନିକଟସ୍ଥ ଏକ ଢ଼ାବା ଉପରେ ଚଢାଉ କରିଥିଲେ । ତେଲେଙ୍ଗାନାକୁ ଚାଲାଣ କରିବା ପାଇଁ ବୋଢେନ ଥାନା କୁଲିଙ୍ଗାମାଲ , ଇଣ୍ଟା , ବରଗାଁ ଅଞ୍ଚଳରୁ ଶ୍ରମିକଙ୍କୁ ଆଣି ଢାବା ପଛପଟେ ଏକ ଟେଣ୍ଡ କରି ରଖାଯାଇଥିଲା । ଘଟଣାସ୍ଥଳରୁ ଦଳାଇ ଫେରାର ହୋଇଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଖଡ଼ିଆଳ ଏସଡ଼ିପିଓ ସନ୍ତକ ଜେନାଙ୍କ ଉପସ୍ଥିତିରେ ଉଦ୍ଧାର ସମସ୍ତ ଶ୍ରମିକଙ୍କୁ ସ୍ଵତନ୍ତ୍ର ବସ ଯୋଗେ ତାଙ୍କ ଘରକୁ ପଠାଇ ଦିଆଯାଇଛି ।




