
କୋଭିଡ – ୧୯ ଟୀକାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ।
ଜେ. ବି. ଏନ୍ (୦୭/୦୧ /୨୦୨୧) ଅନୁଗୋଳ : କରୋନାର ସଠିକ୍ ମୁକାବିଲା ନିମନ୍ତେ ନିୟମାବଳୀ ଅନୁଯାୟୀ କାକରଣ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଗତକାଲି ମଧ୍ୟାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାରେ ୭୩୨୬ ଜଣ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟୀକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ୧୯୫ ଜଣ ଟୀକା ପ୍ରଦାନକାରୀକୁ ନିୟୋଜିତ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ୩ଟି ଉପଖଣ୍ଡ ଚିକିତ୍ସାଳୟ , ୯ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ୧୭ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସମସ୍ତ ଟୀକାକରଣ କେନ୍ଦ୍ରରେ ୫ ଜଣିଆ ଦଳ ଗଠନ କରାଯାଇ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲୁ ରହିଅଛି । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାଃ ଅଭୟ କୁମାର ଦାଶ କରୋନା ଟୀକାକରଣ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ ହୋଇଥିବା ଯୋଜନା ସମ୍ପର୍କରେ ଅବଗତ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ସତପଥି , ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା , ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଏସ୍ ଏମ୍ ଓ ଡାଃ ସନ୍ତୋଷ କୁମାର ସାହୁ , ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ଭରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।



