ଅନୁଗୋଳ ଜିଲ୍ଲାରେ କୋଭିଡ ଟିକାକରଣର ଶୁଭାରମ୍ଭ
(ଜେ ବି ଏନ /ସୁଶାନ୍ତ କୁମାର) ୧୬/୦୧/୨୦୨୧ ଅନୁଗୋଳ ଅନୁଗୋଳ ଜିଲ୍ଲାରେ କୋଭିଡ ଟିକାକରଣର ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଜିଲ୍ଲାର ୨ଟି ଟିକାକରଣ କେନ୍ଦ୍ରରେ ୨୦୪ ଜଣ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥିତ ଟିକା କରଣ କେନ୍ଦ୍ରକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାଃ ଅଭୟ କୁମାର ଦାଶଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମଳ ଯୋଜନାରେ କାର୍ଯ୍ୟରତ ସଫେଇ କର୍ମଚାରୀ ନହିଆ ବେହେରା ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଜି ପୂର୍ବାହ୍ନ ୧୦:୩୦ ରୁ ଟିକାକରଣ ଆରମ୍ଭ ହୋଇ ଅପରାହ ୬ଟା ପର୍ଯ୍ୟନ୍ତ ଚାଲିଥିଲା ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୪ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକାକରଣ କରାଯାଇଥିଲା । ଟିକା କରଣ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଡାଃ ନନ୍ଦ କିଶୋର ସାହୁ ପ୍ରଥମ କୋଭିସିଡ ଟିକା ନେଇଥିବା ଜଣା ପଡ଼ିଛି । ଜିଲ୍ଲାରେ ୭୩୨୬ ଜଣ ଟିକା ନେବାକୁ ନାମ ପଞ୍ଚିକରଣ କରିଛନ୍ତି । ଗୋଟିଏ ଦିନ ଟିକା ନେଇଥିବା ବ୍ୟକ୍ତି ମାନଙ୍କୁ ଅବଜର୍ଭ କରାଯିବା ତେଣୁ ଆସନ୍ତା କାଲି ଟିକା ଦିଆଯିବ ନାହିଁ । ସୋମବାର ଠାରୁ ଟିକାକରଣ ଯେଉଁଭଳି ଚାଲିବା କଥା ସେମିତି ଚାଲିବ ବୋଲି ବୋଲି ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । ଆଜି ଟିକା ନେଇଥିବା ବ୍ୟକ୍ତିଙ୍କୁ ଟିକାକରଣ କେନ୍ଦ୍ରରେ ଥିବା ଅବଜର୍ଭେସନ ଗୃହରେ ୩୦ ମିନିଟ ପର୍ଯ୍ୟନ୍ତ ଅବଜର୍ଭେସନରେ ରଖାଯାଇଥିଲା । ସେହିପରି ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାଃ ଦେବାଶିଷ ମିଶ୍ରଙ୍କ ତତ୍ତ୍ଵାବଧାନରେ ୧୦୦ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକାକରଣ କରାଯାଇଥିଲା । ରାଜ୍ୟ ସ୍ବାସ୍ଥ୍ୟ ପରିଦର୍ଶକ ଭାବେ ସ୍ୱାସ୍ଥ୍ୟ ଉପନିର୍ଦ୍ଦେଶକ ପ୍ରତିଭା ପଟ୍ଟନାୟକ , ଡା . ସୌମ୍ୟଶ୍ରୀ ମହାପାତ୍ର ଉପସ୍ଥିତ ରହି ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଟିକା କରଣ କେନ୍ଦ୍ର ପର୍ଯ୍ୟବେକ୍ଷଣ କରିଥିଲେ ।




