ସେନା ଉପମୁଖ୍ୟ ଭାବେ ଆଜି ଦାୟିତ୍ବ ଗ୍ରହଣ କରିବେ ଓଡ଼ିଆ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡିପ୍ରସାଦ ମହାନ୍ତି

ଜେ ବି ଏନ, ୦୧/୦୨ /୨୦୨୧, (ରିପୋର୍ଟ, ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର : ଓଡ଼ିଆ ଅଫିସର ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡିପ୍ରସାଦ ମହାନ୍ତି ଆଜି ସେନା ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ । ସେ ହେବେ ଦେଶର ୪୨ତମ ସେନା ଉପମୁଖ୍ୟ । ୧୯୮୨ ମସିହାରେ ରେଜିମେଣ୍ଟର ଦ୍ବିତୀୟ ଲେଫ୍ଟନାଣ୍ଡ ଭାବେ ଶ୍ରୀ ମହାନ୍ତି ଯୋଗ ଦେଇଥିଲେ । ନିଜର ୩୮ ବର୍ଷର କ୍ୟାରିୟର ମଧ୍ୟରେ ପାକିସ୍ତାନ ଓ ଚୀନ୍ ସୀମା ସହିତ ଅନେକ ଅପରେସନରେ ସେ ଆଗଧାଡ଼ିରେ ରହି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଏହାଛଡ଼ା ନୂଆଦିଲ୍ଲୀ ସେନା ମୁଖ୍ୟାଳୟରେ ଲଜିଷ୍ଟିକ୍ ଓ ଷ୍ଟାଟେଜିକ୍ ମୁଣ୍ଡରେ ମହାନିର୍ଦ୍ଦେଶକ ଭାବେ ସେ ନିଯୁକ୍ତ ହୋଇଥିଲେ । ଓଡ଼ିଶାର ଜଗତସିଂହପୁର ଜିଲା ଜୟବଡ଼ରେ ଜନ୍ମିତ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ବର୍ତ୍ତମାନ ସଦର୍ଣ୍ଣ କମାଣ୍ଡର କମାଣ୍ଡି ଇନ୍ ଚିଫ ରହିଛନ୍ତି । ସତିନ୍ଦ୍ର କୁମାର ସାଇନି ଭାରତୀୟ ସେନା ଉପମୁଖ୍ୟ ପଦରୁ ଗତକାଲି ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ଚଣ୍ଡିପ୍ରସାଦ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ । ଏହା ସହିତ ସେ ପ୍ରଥମ ଓଡ଼ିଆ ଭାବେ ସେନାରେ ଏହି ପଦବୀ ଅଳଙ୍କୃତ କରିବାକୁ ଯାଉଛନ୍ତି , ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ।



