ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର…
ଅନୁଗୋଳ, ତାଳଚେର, ବନ୍ତଳା ବନ କର୍ମଚାରୀଙ୍କ ଟଣା ଓଟରା ନୀତି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ।

ଜେ ବି ଏନ୍,୦୨.୦୧.୨୦୨୧,(ରିପୋର୍ଟ ଚୈତନ୍ୟ ସାହୁ) ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ପଞ୍ଚାୟତ ଶିମିଳିଛୁଇଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ଶିମିଳିଛୁଇଁ ଗ୍ରାମର ଉତ୍ତମ ଦାସ, ପିତା : ୰ଉଦୟନାଥ ଦାସ ବନ କର୍ମଚାରୀଙ୍କ ଉପସ୍ଥିତିରେ ହାତୀ ଆଡକୁ ଯାଇଥିଲେ। ବନ କର୍ମଚାରୀ ବାରଣ କରିବା ସତ୍ତ୍ୱେ ଉତ୍ତମ ମାନି ନଥିଲେ ଯାହା ଫଳରେ ହାତୀ ଉତ୍ତକ୍ଷିପ୍ତ ହୋଇ କଚାଡି ଦେଇଥିଲା। ଅନୁଗୋଳ, ତାଳଚେର, ବନ୍ତଳା ବନ କର୍ମଚାରୀଙ୍କ ଟଣା ଓଟରା ନୀତି ପାଇଁ ଏପରି ପରିସ୍ଥିତି ଉପୁଜିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ହାତୀ କଚାଡ଼ିବା ଫଳରେ ଉତ୍ତମ ଗୁରୁତର ହୋଇଛନ୍ତି। ସଙ୍ଗେ ସଙ୍ଗେ ବନ କର୍ମଚାରୀ ଓ ଗ୍ରାମବାସୀଙ୍କ ସହାୟତାରେ ଉତ୍ତମକୁ ଆମ୍ବୁଲାନ୍ସ ସହାୟତାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଉତ୍ତମ ଙ୍କ ମାନସିକ ଅବସ୍ଥା ଠିକ ନଥିଲା ବୋଲି ହାତୀ ପାଖକୁ ଯିବା ଫଳରେ ଏପରି ଅବସ୍ଥା ସୃଷ୍ଟି ହୋଇଛି। ତିନି ବନକର୍ମଚାରୀ ନିଜ ନିଜ ଭିତରେ ଟଣା ଓଟରା ନୀତି ପାଇଁ ସମ୍ପୂର୍ଣ୍ଣ ଗ୍ରାମବାସୀ ହଇରାଣ ହେଉଛନ୍ତି ବୋଲି ଗ୍ରାମର ଲୋକ କହିଛନ୍ତି। ଏପରି ବିପଦ ସମୟରେ ସମସ୍ତେ ମିଳିମିଶି କାର୍ଯ୍ୟ କରି ହାତୀ ଗତିବିଧି ଉପରେ ନଜର ରଖିବାକୁ ଶିମିଳିଛୁଇଁ ଗ୍ରାମବାସୀ ନିବେଦନ କରିଛନ୍ତି। ହାତୀ ଗୁଡିକ ଭାଗ ହେଇ ଯାଇଥିବାରୁ ଭୟରେ ଥରୁଛନ୍ତି ଗ୍ରାମବାସୀ।



