
ଜିଲ୍ଲାପାଳଙ୍କ ଭିଜନ – ୨୦୨୩ ପ୍ରସ୍ତୁତି ବୈଠକ ।
ଶିକ୍ଷା , ସ୍ବାସ୍ଥ୍ୟ , ଜୀବନ ଜିବିକା , ପାନୀୟଜଳ , ପର୍ଯ୍ୟଟନ ସ୍ଥଳୀର ବିକାଶ
ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଆସନ୍ତା ୨୦୨୩ ମସିହାରେ ଅନୁଗୋଳ ଜିଲ୍ଲା ୩୦ ବର୍ଷରେ ପଦାର୍ପଣ କରିବ । ଏହାକୁ ଦୃଷ୍ଟିରେ ରଖି ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଖଣି କ୍ଷେତ୍ର ବିକଶିତ ଜିଲ୍ଲା ଭାବରେ ପରିଣତ କରିବାକୁ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଜିଲ୍ଲା ପ୍ରଶାସନ ‘ ଭିଜନ – ୨୦୨୩ ପ୍ରସ୍ତୁତ କରିଛି । ପ୍ରକୃତିର ସୁରକ୍ଷା , ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଓ ମାନବ ସମ୍ବଳର ବିକାଶ ଏହି ଭିଜନ – ୨୦୨୩ର ମୁଖ୍ୟ ବୈଶିଷ୍ଟ୍ୟ ବୋଲି ଆଜି ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆମେ ଯଦି ତାରାମାନଙ୍କୁ ଛୁଇଁବାକୁ ଲକ୍ଷ୍ୟ ରଖିବା ତାହେଲେ ଚନ୍ଦ୍ର ପାଖରେ ଅନ୍ତତଃ ପହଞ୍ଚିପାରିବା । ଅର୍ଥାତ୍ ଆମେ ଯଦି ବୃହତ୍ ଯୋଜନାଗୁଡିକ ପାଖରେ ପହଞ୍ଚିବାକୁ ଉଦ୍ୟମ କରିବା ଛୋଟ ଛୋଟ ଯୋଜନା ପାଖରେ ସହଜରେ ପହଞ୍ଚିପାରିବା ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଶିକ୍ଷା ସମାଜର ଏକ ପ୍ରମୁଖ ଅଙ୍ଗ । ଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ତାଳଚେରରେ ପ୍ରତିଷ୍ଠା ହେବ ବିଶ୍ବ ସ୍ତରୀୟ ପାଠାଗାର । ଚଳିତ ବର୍ଷ ଶେଷ ସୁଦ୍ଧା ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣ ଓ ଆଲୋକିକରଣ ବ୍ୟବସ୍ଥା କରାଯିବ । ଜିଲ୍ଲାରେ ୫ଟି କେନ୍ଦ୍ରୀୟ ରୋଷଗାର ନିର୍ମାଣ କରାଯିବ ଯାହା ଦ୍ଵାରା ୧ଲକ୍ଷ ୨୧ ହଜାର ୯୨୪ ଜଣ ଛାତ୍ର ଛାତ୍ରୀ ଏଥିରେ ଉପକୃତ ହେବା ସହ ଶିକ୍ଷକମାନେ ଶିକ୍ଷା ଦାନରେ ଅଧିକ ସମୟ ନିୟୋଜିତ କରିପାରିବେ । ଏହାଦ୍ୱାରା ଶିକ୍ଷାର ଗୁଣାତ୍ମକ ବିକାଶ ସମ୍ଭବ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ୫୦ଟି ପାଉଡିଭୁୟୀ ଉନ୍ନୟନ ସଂସ୍ଥାର ବିଦ୍ୟାଳୟରେ ବାଲା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ , ଯଦ୍ଵାରା ଏହି ସମ୍ପ୍ରଦାୟର ଛାତ୍ର ଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ଷଷ୍ଠ ଶ୍ରେଣୀରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କ ପାଇଁ ଓଡିଆ ଭାଷାରେ ସ୍ଵତନ୍ତ୍ର ସହଜ ପାଠ୍ୟ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଛାତ୍ର ଛାତ୍ରୀମାନେ ସହଜରେ ପାଠ ବୁଝିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୮ମ ଏବଂ ୯ମ ଛାତ୍ର ଛାତ୍ରୀମାନଙ୍କୁ ୨ଟି ଆନ୍ତର୍ଜାତୀୟ ଭାଷାରେ ଶିକ୍ଷା ଦାନ କରାଯିବ ଯାହା ଫଳରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ଅନ୍ୟ ଦେଶମାନଙ୍କରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ପ୍ରତିଯୋଗିତାମୂଳକ ପରିକ୍ଷାରେ ସଫଳ ହେବା ପାଇଁ ଛାତ୍ର ଛାତ୍ରୀମାନଙ୍କ ପାଇଁ ହାଇବ୍ରିଡ୍ କ୍ଲାସ୍ ରୁମ୍ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ବୌଦ୍ଧିକ ଓ ସାମାଜିକ ଚେତନାର ବିକାଶ ପାଇଁ “ ଜିରୋ ଆୱାର ପିରିଅଡ୍ ବିଦ୍ୟାଳୟମାନଙ୍କରେ ଆରମ୍ଭ ହେବ । ମୋ ସ୍କୁଲ ଅଭିଯାନ ଜିଲ୍ଲାରେ ବେଶ୍ ସଫଳତା ହାସଲ କରିଛି | ୮୫ ପ୍ରତିଶତ ବିଦ୍ୟାଳୟରେ ଏହା ପହଞ୍ଚି ସାରିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଜିଲ୍ଲାବାସୀଙ୍କୁ ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦକ୍ଷତା ମାନ୍ୟତା , କାୟାକଳ୍ପ ପ୍ରମାଣ ଓ ଲକ୍ଷ୍ୟ ପ୍ରମାଣ ଯୋଜନା ପ୍ରସ୍ତୁତ କରାଯାଇଛି । ଗ୍ରାମାଞ୍ଚଳରେ ପ୍ରସୂତି ଆସନ୍ନ ମହିଳାମାନଙ୍କ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୁମୀ ସମ୍ବଳିତ ମା ଗୃହ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଟ୍ରମା କେୟାର ସେଣ୍ଟରରେ ଆଗୁଆ ଜୀବନ ସୁରକ୍ଷା ଆମ୍ବୁଲାନ୍ସ ବ୍ୟବହାର କରାଯିବ ଯାହା ଦ୍ଵାରା ରୋଗୀମାନଙ୍କ ଜୀବନ ଅଧିକ ସୁରକ୍ଷିତ ରହିପାରିବ । ଜିଲ୍ଲାର କୃଷକମାନଙ୍କର ଜୀବନ ଓ ଜିବିକାରେ ଉନ୍ନତି ଆଣିବା ପାଇଁ ପାଖା ପାଖି ୧୦ ହଜାର କୃଷି ଉତ୍ପାଦନ କ୍ଲଷ୍ଟର ପ୍ରସ୍ତୁତ କରାଯିବ । ପ୍ରତି କ୍ଲଷ୍ଟରରେ ୪୦୦/ ୫୦୦ ଜଣ ଚାଷୀ ଉପକୃତ ହେବେ । ଏହା ମାଧ୍ୟମରେ ଜିଲ୍ଲାର ୩୦ ହଜାର ଚାଷୀକର ଆୟ ୨୦୨୩ ସୁଦ୍ଧା ଦ୍ବିଗୁଣିତ ହେବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶା ମିଲେଟ ମିଶନ ଯୋଜନାରେ ଆଠମଲ୍ଲିକ , ଅନୁଗୋଳ , ଛେଣ୍ଡିପଦା , କିଶୋରନଗର ଓ ପାଲଲହଡ଼ା ବ୍ଳକ୍ରେ ୨୦୨୩ ସୁଦ୍ଧା ମାଣ୍ଡିଆ , ସୁଆଁ , ବାଜରା ପ୍ରଭୃତି ଶସ୍ୟର ଚାଷ ୩୧୨ ହେକ୍ଟର ଜମିରୁ ୬୧୨ ହେକ୍ଟର କୁ ବୃଦ୍ଧି କରାଯିବ। ଆଠମଲ୍ଲିକ , ଛେଣ୍ଡିପଦା ଓ କିଶୋରନଗର ବ୍ଲକରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରାଯିବା ସହ ଓମଫେଡ୍ ଦୁଗ୍ଧ ପରିବହନ ରାସ୍ତାକୁ ସଂମ୍ପ୍ରସାରଣ କରାଯିବ । କିନ୍ନରମାନଙ୍କ ପାଇଁ ତିରିପୁର ଠାରେ ଏକ କ୍ଲଷ୍ଟାଇଲ୍ ଉଦ୍ୟୋଗ ପ୍ରତିଷ୍ଠା କରାଯିବ । ଏଥିରେ ଜିଲ୍ଲାର ପାଖାପାଖି ୫୦୦ ଜଣ କିନ୍ନର ନିଯୁକ୍ତି ପାଇପାରିବେ । ସହରାଞ୍ଚଳ ସମେତ ଗ୍ରାମାଞ୍ଚଳର ବର୍ଜ୍ୟବସ୍ତୁ ୩ଟି ପର୍ଯ୍ୟାୟରେ ପରିଚାଳନା କରାଯାଇ ପରିମଳ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ଼ କରାଯିବ । ଜିଲ୍ଲାର ସମସ୍ତ ୮ଟି ବ୍ଳକରେ ୨୨୫ଟି ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ପ୍ରକଳ୍ପ ଯଥା ମଡେଲ ପାର୍କ , ଖୋଲା ବ୍ୟାୟାମ ଶାଳା , ୨୨୫ଟି ପୁଷ୍କରିଣୀ , ୫୦ଟି ଗ୍ରାମୀଣ ଗୋଷ୍ଠୀ କେନ୍ଦ୍ର ଓ ୪୦ଟି ହାଟର ଆଧୁନିକିକରଣ କରାଯିବ । କିଶୋରନଗର ବ୍ଳକରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଖୁବ୍ ଶିଘ୍ର ଆଠମଲ୍ଲିକ ବ୍ଲକରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଜୁନ୍ ମାସ ଶେଷ ସୁଦ୍ଧା ୭୩.୩୭ ଏମ୍. ଏଲ୍ଡି. କ୍ଷମତା ବିଶିଷ୍ଟ ୱାଟର ଟ୍ରିଟମେଣ୍ଟ ଗ୍ଲାଣ୍ଟ ମାଧ୍ୟମରେ ୯୦ ହଜାର ଗୃହକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଅନୁଗୋଳ ସହରର ସର୍ବାଙ୍ଗୀନ ଉନ୍ନତିିକଳ୍ପେ ପାନ୍ ସିଟି ପ୍ରସ୍ତାବିତ ଅନୁଗୋଳ ସ୍ମାର୍ଟ ସିଟି ପରିଚାଳନା ବ୍ୟବସ୍ଥାକୁ ହାତକୁ ନିଆଯାଇଛି । କ୍ରୀଡା ଓ ସାମାଜିକ କଲ୍ୟାଣର ବିକାଶ ପାଇଁ ଅନୁଗୋଳ ଓ ତାଳଚେର ମିନି ଷ୍ଟାଡିୟମ୍ଭ ଓ ବ୍ଲକ୍ ସଦର ମହୁକୁମାର ଷ୍ଟାଡିୟମଗୁଡିକର ଉନ୍ନତିକରଣ କରାଯିବ । ଅନୁଗୋଳ ଖେଳ ମହୋତ୍ସବ ଚଳିତ ବର୍ଷ ମେ ମାସ ପରେ ଆରମ୍ଭ ହେବା ସହ କ୍ରୀଡା କ୍ଷେତ୍ରରେ ଥିବା ପ୍ରତିଭା ଚିହ୍ନଟ ନିମନ୍ତେ କ୍ରୀଡା ବୃଦ୍ଧି ପ୍ରଦାନ କରାଯିବ । ଅନୁଗୋଳର ସାତକୋଶିଆ , ଡେରଜାଙ୍ଗ , ଶୈଳଶ୍ରୀକ୍ଷେତ୍ର , ପାଲଲହଡାର ଦ୍ବିତୀୟ ଚିଲିକା , ଖୁଲୁଡି ଓ ପାଉଡିଭୂୟାଁ ଏବଂ ଆଠମଲ୍ଲିକର ବିନିକେଇ , ମାନଜୋର , ଦେଉଳଝରି ପ୍ରଭୃତି ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନିଆଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥି ସମସ୍ତ ଙ୍କୁ ସ୍ଵାଗତ ଜଣାଇବା ସହ ଭିଜନ – ୨୦୨୩ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ , ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୀ , ଡେପୁଟୀ କଲେକ୍ଟର ଶ୍ରୀ ବଇତୁରା ଦିପ୍ , ଭୁ – ଅର୍ଜନ ଅଧିକାରୀ ଏମ୍ ସି ଏଲ ) ଶ୍ରୀ ରତନ କୁମାର ଆଚାର୍ଯ୍ୟ , ସହକାରୀ ଜିଲ୍ଲାପାଳ ଶ୍ରୀ ରଞ୍ଜନ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଗୋଳ ସଦର ମହକୁମାର ସାମ୍ବାଦିକମାନଙ୍କୁ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା କାର୍ଡ ଜିଲ୍ଲାପାଳ ପ୍ରଦାନ କରିଥିଲେ । କରୋନା ମହାମାରୀ ଆରମ୍ଭ ହେବା ଠାରୁ ଗଣମାଧ୍ୟମର ପ୍ରତିନିିଧି ମାନେ ଜନସାଧାରଣ ଙ୍କୁ ପ୍ରତ୍ୟେକଟି ତଥ୍ଯ ପ୍ରଦାନ କରି ସଚେତନ କରି ଆସିଛନ୍ତି । ଫଳସ୍ଵରୁପ ଆଜି ଆମେ ସୁରକ୍ଷିତ ସ୍ଥାନକୁ ଆସି ପାରିଛୁ ବୋଲି ଜିଲ୍ଲପାଳ ପ୍ରକାଶ କରିବା ସହ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କର ପ୍ରୟାସକୁ ସାମ୍ବାଦିକମାନେ ସାଧୁବାଦ ଜଣାଇବା ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।



