ବଦଳିବ ମୁଖ୍ୟମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟ

ଜେ ବି ଏନ, (ରିପୋର୍ଟ୍ ଦିଲ୍ଲୀପ କୁମାର ବେହେରା), ୨୫/୦୨ /୨୦୨୧, ଭୁବନେଶ୍ବର : ବଦଳିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା । ଲୋକସେବା ଭବନ ପରିବର୍ତ୍ତେ ଏଣିକି ଖାରବେଳ ଭବନର ସପ୍ତମ ମହଲାକୁ ଏହା ଉଠିଯିବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଖାରବେଳ ଭବନର ସପ୍ତମ ମହଲାର ପଶ୍ଚିମ ଭାଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରିବା ପାଇଁ ସାଜସଜ୍ଜା ଓ ଅତ୍ୟାଧୁନିକ ସୁବିଧା ନିମନ୍ତେ ପ୍ରାୟ ୬କୋଟି ଟଙ୍କା ବଜେଟ୍ ବ୍ୟୟବରାଦ ହୋଇଛି । ଏହି କୋଠାରେ ଅତ୍ୟାଧୁନିକ ଫୋର – କେ ଭିଡିଓ କନଫରେନ୍ସି ବାର ସମେତ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ମୁଖ୍ୟ ପରାମର୍ଶଦାତାଙ୍କ ଅଫିସ୍ ମଧ୍ୟ ରହିବ । ମୁଖ୍ୟମନ୍ତ୍ରୀ ସେହି ଅଫିସରେ ବସି ରାଜ୍ୟର ସବୁ ଭାଗ ସହ ଯେଭଳି ଯୋଡ଼ି ହୋଇପାରିବେ ସେଥିପାଇଁ ସେଠାରେ ସମସ୍ତ ପ୍ରକାରର ଆଧୁନିକ ସୁବିଧାଯୁକ୍ତ ଯୋଗାଯୋଗ ବ୍ୟବସ୍ଥା କରାଯାଉଛି । ସପ୍ତମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନଙ୍କ ଲାଉଞ୍ଜ ଥ୍ରୀ – ଡି ଭଳି ଦୃଶ୍ୟମାନ ହେବ । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଚାମ୍ବର , ୱେଟିଂ ଲବି , କନଫରେନ୍ସ ହଲ , ଆଇପି ଆଧାରିତ ଇଣ୍ଟରକମ୍ ଓ କ୍ୟାଣ୍ଟିନର ସୁବିଧା ମଧ୍ୟ ରହିବ । ଏସବୁ ଆଭ୍ୟନ୍ତରୀଣ କାର୍ଯ୍ୟ ନିମନ୍ତେ ମୋଟ ୬କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ , ତାଙ୍କ ପ୍ରମୁଖ ସଚିବ , ପ୍ରମୁଖ ପରାମର୍ଶଦାତାଙ୍କ ରୁମରେ ୭୫ ଇଞ୍ଚର ଏଲଇଡି ଟିଭି ଲାଗିବା ସହ କନଫରେନ୍ସ ହଲରେ ମଧ୍ୟ ବିଶାଳ ଏଲଇଡି ସୁବିଧା ରହିବ । ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିମନ୍ତେ ସ୍ଵତନ୍ତ୍ର ଭାବେ ଜେନେରେଟର ଓ ଅନ୍ୟାନ୍ୟ ସୁବିଧା ରହିବ । ବର୍ତ୍ତମାନ ଲୋକସେବା ଭବନର ତୃତୀୟ ମହଲାରେ ତାଙ୍କ କାର୍ଯ୍ୟାଳୟ ରହିଛି ।



