ଆତ୍ମ ନିର୍ଭର ଭାରତ ପାଇଁ ଭାରତୀୟ ଖେଳଣା

ଜେ ବି ଏନ, ୨୭/୦୨ /୨୦୨୧, ଭୁବନେଶ୍ବର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱର ସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ଓ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଖେଳଣା ଶୀର୍ଷକ ଏକ ୱେବିନାର ଆୟୋଜିତ ହୋଇଯାଇଛି ।

ଏଥିରେ ଯୋଗଦେଇ ମୁମ୍ବାଇସ୍ଥିତ ମିନିଟଏର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ମନୀଷ କୁକ୍ରେଜା କହିଥିଲେ ଯେ ଆତ୍ମନିର୍ଭର ଭାରତ ପାଇଁ ସ୍ଥାନୀୟ ହସ୍ତକଳା କାରିଗରଙ୍କୁ ସବୁଠାରୁ ଅଧିକ ପ୍ରୋତ୍ସାହନ ମିଳିବା ଆବଶ୍ୟକ । ଏହା ବ୍ୟତିତ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ଖେଳଣାକୁ ଭୌଗଳିକ ପ୍ରମାଣପତ୍ର ପ୍ରଦାନ କଲେ ଏହାର ବିକଳ୍ପ ବା ନକଲି ପସ୍ତୁତ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।
ଏଥିରେ ଯୋଗଦେଇ ନବରଙ୍ଗପୁର ଜିଲ୍ଲା ଶିଳ୍ପକେନ୍ଦ୍ର ପ୍ରବନ୍ଧକ ଶ୍ରୀ ବାଣେଶ୍ୱର ରାଓ ସୁବୁଦ୍ଧି ଗୁରୁଶିଷ୍ୟ ପରମ୍ପରା ଭଳି କଣ୍ଢେଇ ଶିଳ୍ପର ଉତ୍କର୍ଷ ନିମନ୍ତେ ତାଲିମର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଭୁବନେଶ୍ୱରଠାରେ ଆୟୋଜିତ ବିଶ୍ୱକପ ହକି ଖେଳାଳୀମାନଙ୍କୁ ନବରଙ୍ଗପୁରରେ ଲାଖ ପ୍ରସ୍ତୁତ କଣ୍ଡେଇ ଉପହାର କିପରି ମୋହିତ କରିଥିଲା ତାହାର ଉଦାହରଣ ସେ ଦେଇଥିଲେ ।
ବିଶିଷ୍ଟ ସାମ୍ବାଦିକ ଡକ୍ଟର ସତ୍ୟ ରାୟ ୱେବିନାରରେ ଅଂଶ ଗ୍ରହଣ କରି ପାରମ୍ପରିକ ତଥା ସମୃଦ୍ଧ କଣ୍ଢେଇ ପ୍ରସ୍ତୁତିରେ ଓଡ଼ିଶାର ଉଦାହରଣ ଦେଇ ସ୍ଥାନୀୟ କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବଜାର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଏଥିରେ ଅଧ୍ୟକ୍ଷତା କରି ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ଦେଶରେ ସୃଜନଶୀଳ ଖେଳଣା ପ୍ରସ୍ତୁତି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଭାରତୀୟ ଖେଳଣା ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର ଦେଉଥିବା ବେଳେ ଆସନ୍ତା କାଲି (ତା.୨୭.୨.୨୧)ଦିନ ଆୟୋଜିତ ହେବାକୁ ଥିବା ଭାରତୀୟ ଖେଳଣା ମେଳା ଏ ଦିଗରେ ବେଶ ଉପାଦେୟ ହେବ ବୋଲି କହିଥିଲେ ।
ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଓଡ଼ିଶାର ସମୃଦ୍ଧ କଣ୍ଢେଇ କଳା ପରମ୍ପରା ଉପରେ ଆଲୋକପାତ କରିଥିଲେ । ଭୁବନେଶ୍ୱର ଆଞ୍ଚଳିକ କ୍ଷେତ୍ର ପ୍ରଚାର ବ୍ୟୁରୋର ଅଧିକାରୀ ଶ୍ରୀ ମହେନ୍ଦ୍ର ପ୍ରସାଦ ଜେନା ୱେବିନାର ପରିଚାଳନା କରିଥିବାବେଳେ, ସମ୍ବଲପୁର ଶାଖା ସହକାରୀ ନିର୍ଦ୍ଦେଶକ ଶ୍ରୀ ରାମେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।



