ସାଥୀରେ ରହିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରିପାରିବେନି ସ୍ଵାମୀ : ସୁପ୍ରିମକୋର୍ଟ

ଜେ ବି ଏନ, ୦୩/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ : ଜଣେ ମହିଳା ତାଙ୍କ ସ୍ବାମୀଙ୍କର ବ୍ୟକ୍ତିଗତ ସମ୍ପତ୍ତି ନୁହନ୍ତି । ନିଜ ସାଥୀରେ ରହିବାକୁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ । ବୁଧବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି , ସ୍ତ୍ରୀଙ୍କୁ ଜୋରଜବରଦସ୍ତି ନିଜ ସାଥୀରେ ରହିବାକୁ କୁହାଯାଇପାରିବ ନାହିଁ । ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ପିଟିଶନ ଦାୟର କରି କୋର୍ଟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସହିତ ରହିବାକୁ ଆଦେଶ ଦେବାକୁ ଅନୁରୋଧ କରିଥିଲେ । ଏହି ମାମଲାର ଶୁଣାଣି ସମୟରେ ବିଚାରପତି ଏସ.କେ. କୌଲ ଏବଂ ବିଚାରପତି ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି , ଆପଣଙ୍କୁ କଣ ଲାଗୁଛି ? କ’ଣ ମହିଳା କାହାର ଗୁଲାମ ଯେ , ଆମେ ଏଭଳି ଆଦେଶ ଦେବୁ ? କ’ଣ ସ୍ତ୍ରୀ ଆପଣଙ୍କ ବ୍ୟକ୍ତିଗତ ସମ୍ପତ୍ତି ଯେ , ତାଙ୍କୁ ଆପଣଙ୍କ ସହିତ ଯିବାକୁ ନିର୍ଦ୍ଦେଶ ଦିଆଯାଇପାରିବ ? ତେବେ କୋର୍ଟଙ୍କ ଏଭଳି ରାୟ ମହିଳା ସୁରକ୍ଷା ଦିଗରେ ବେଶ୍ ଗୁରୁତ୍ବ ବହନ କରୁଛି । ସୂଚନା ଅନୁସାରେ , ୨୦୧୩ରେ ଆବେଦନକାରୀଙ୍କ ବିବାହ ହୋଇଥିଲା । ମାତ୍ର ଯୌତୁକକୁ ନେଇ ଶାଶୁଘର ଲୋକେ ମହିଳାଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ । ଏହା ପରେ ମହିଳା ଜଣକ ବାଧ୍ୟ ହୋଇ ଶାଶୁ ଘରୁ ଚାଲିଯାଇ ଅଲଗା ରହୁଛନ୍ତି । ୨୦୧୫ରେ ସେ ଭରଣପୋଷଣ ଭତ୍ତା ପାଇଁ ଗୋରଖପୁର କୋର୍ଟରେ ମାମଲା ଦାୟର କରିଥିଲେ । କୋର୍ଟ ମହିଳାଙ୍କୁ ପ୍ରତି ମାସରେ ୨୦ ହଜାର ଟଙ୍କା ଭରଣପୋଷଣ ବାବଦରେ ପ୍ରଦାନ କରିବାକୁ ତାଙ୍କ ସ୍ବାମୀଙ୍କୁ ଆଦେଶ ଦେଇଥିଲେ ।



