ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ବୁଲି ଦେଖିଲେ ।
(ଜେ ବି ଏନ /ସୁଶାନ୍ତ କୁମାର) ୦୩/୦୩/୨୦୨୧ ଅନୁଗୋଳ : ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ଆଠମଲ୍ଲିକ ଉପଖଣ୍ଡ ଗସ୍ତ କରି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ବୁଲି ଦେଖିଛନ୍ତି । କନ୍ତପଡା , ମଇମୁରା ଓ ଠାକୁରଗଡ ଗ୍ରାମ ପଞ୍ଚାୟତରେ ନିର୍ମାଣଧୀନ ପାର୍କ ଓ ପୋଖରୀ ଖନନ , ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଗତ ରାସ୍ତା କାର୍ଯ୍ୟକୁ ବୁଲି ଦେଖିବା ସହ ମିଶନଶକ୍ତି ଗୃହ ଓ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଆଠମଲ୍ଲିକ ସହରାଞ୍ଚଳରେ ନିର୍ମାଣାଧିନ ମୂଖ୍ୟ ଡ୍ରେନ୍ (ନାଳ ) ଓ ମାର୍କେଟ କମ୍ପ୍ଲେକ୍ସ ବୁଲି ଦେଖିଥିଲେ । ନୂତନ ସ୍ମାର୍ଟ ପାର୍କ ଓ ଆଠମଲ୍ଲିକ ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମନ୍ବିତ ଶିଶୁ ବିକାଶ କେନ୍ଦ୍ର ଦ୍ବାରା ପରିଚାଳିତ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଯାଇ ଛତୁଆ ପ୍ରସ୍ତୁତି ଓ ଏହାର ଗୁଣବତ୍ତାକୁ ଯାଞ୍ଚ କରିଥିଲେ । ପରେ ଜିଲ୍ଲାପାଳ ଦେଉଳଝରି ଗସ୍ତ କରି ପର୍ଯ୍ୟଟନ ବିଭାଗ ଦ୍ୱାରା ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବୁଲିଦେଖିବା ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟକୁ ସାରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳଙ୍କର ଏହି ଗସ୍ତ ସମୟରେ ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା , ଆଠମଲ୍ଲିକ ବିଡିଓ ଶ୍ରୀ ସଂଜୟ କୁମାର ଆଚାର୍ଯ୍ୟ , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରିଣୀ ଶ୍ରୀମତୀ କାଦମ୍ବିନୀ ଜେନା , ଅତିରିକ୍ତ ତହସିଲଦାର ଶ୍ରୀ ଅଶୋକ ନାଏକ , ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।




