ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ

ଅନୁଗୋଳ, ୨୬.୦୬ : ,ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ଅବକାରୀ ବିଭାଗ ଏବଂ ସ୍ଥାନୀୟ ସାମାଜିକ ସଂଗଠନ “ସ୍ପନ୍ଦନ”ର ମିଳିତ ଆନୁକୁଲ୍ୟରେ ଆଜି ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଏବଂ ଚୋରା ଚାଲାଣ ବିରୋଧୀ ଦିବସ ଉପଲକ୍ଷେ ଏକ ବିଶାଳ ସଚେତନତା ପଦଯାତ୍ରା ଓ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷୀକା ଶ୍ରୀମତୀ ମଧୁସ୍ମିତା ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ, ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଶା ସେବନ ଓ ଏହାର ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଯଦି ସମାଜରୁ ନିଶା ବ୍ୟବହାର ବନ୍ଦ ହୋଇଯାଏ, ତେବେ ଚୋରା ଚାଲାଣ ଆପେ ଆପେ ରୋକିଯିବ। ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ସଚେତନତା ସହ କଡ଼ା ଆଇନ ଓ କଠୋର ଦଣ୍ଡବିଧି ନିହାତି ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଜିଲ୍ଲା ଅଧିକାରୀ ଶ୍ରୀ ମନିଷ ଏକ୍କା ଯୋଗ ଦେଇ ଚଳିତ ବର୍ଷର ଆଭିମୁଖ୍ୟ “ବିଶ୍ୱ ଡ୍ରଗ୍ସ ସମସ୍ୟା: ନିଶ୍ଚଳ ଜଟିଳତା, ନୂଆ ଆହ୍ୱାନ, ଅଭିନବ ପ୍ରତିକାର” ଉପରେ ଆଲୋକପାତ କରିଥିଲେ। ସେ ନିଶା ମୁକ୍ତ ହେବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାରେ ଥିବା ନିଶା ନିବାରଣ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ, ଯୋଗ, ପ୍ରାଣାୟାମ କରିବା ସହିତ ନିଶାଗ୍ରସ୍ତ ସାଙ୍ଗସାଥୀଙ୍କ ଠାରୁ ଦୂରେଇ ରହିଲେ ନିଶ୍ଚିତ ଭାବେ ନିଶା ମୁକ୍ତ ହୋଇପାରିବେ ବୋଲି ସେ ଆହ୍ୱାନ ଦେଇଥିଲେ। ଅବକାରୀ ବିଭାଗର ଉପ-ଅଧିକ୍ଷକ ଶ୍ରୀ ଧିରେନ କୁମାର ବେହେରା ଯୋଗ ଦେଇ ଜିଲ୍ଲା ଅବକାରୀ ବିଭାଗର ବିଗତ ଦିନର ସଫଳତା ଓ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ସାମାଜିକ ସଂଗଠନ “ସ୍ପନ୍ଦନ”ର ଶ୍ରୀ ଅମୟ ମଲ୍ଲିକ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ “ନିଶା ମୁକ୍ତ ଭାରତ” ଗଠନରେ ସହଯୋଗ କରିବା ପାଇଁ ଶପଥ ପାଠ କରାଇଥିଲେ। ଏହି ଜନସଚେତନତା ପଦଯାତ୍ରାରେ ଟାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ନାଥ, ଓଁ ବିଦ୍ୟା ଭାରତୀ ସମୂହ ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟର ଅନ୍ତେବାସୀଗଣ, ଜିଲ୍ଲା ଅବକାରୀ ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀବୃନ୍ଦ ଏବଂ ସାମାଜିକ ଅନୁଷ୍ଠାନ “ଐରା” ର ସଦସ୍ୟମାନେ ସାମିଲ ହୋଇ ସାଧାରଣ ଜନତାଙ୍କୁ ନିଶା ମୁକ୍ତ ଭାରତ ଅଭିଯାନ ସମ୍ପର୍କରେ ସଚେତନ କରିଥିଲେ।




