ସ୍କୁଲରେ ଛାତ୍ରକୁ ଛୁରୀ ଭୁଶିଲା ଛାତ୍ର

ଜେ ବି ଏନ, ୦୪/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭଞ୍ଜନଗର : ବିନା କାରଣରେ ଜଣେ ଦଶମ ଶ୍ରେଣୀର ଛାତ୍ର ସେହି ଶ୍ରେଣୀର ଅନ୍ୟ ଜଣେ ଛାତ୍ରକୁ ଛୁରୀରେ ପେଟକୁ ଭୁଶି ଗୁରୁତର ଆହତ କରିଛି । ଏପରି ଘଟଣା ଘଟିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ । ଗୁରୁତର ଅବସ୍ଥାରେ ପ୍ରଥମେ ଛାତ୍ରଟିକୁ ଭଞ୍ଜନଗର ଉପଖଣ୍ଡ ସରକାରୀ ହସପିଟାଲକୁ ନିଆଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି । ଘଟଣା ଘଟିଛି ବୁଧବାର ଦିନ ପ୍ରାୟ ୧୧ଟା ବେଳେ । ଛାତ୍ରଛାତ୍ରୀଙ୍କ ଖେଳକୁଦ ସମୟରେ ଏପରି ଘଟଣା ଘଟିଛି । ଛାତ୍ରଜଣକ ବହିବସ୍ତାନୀ ଭିତରେ ଛୁରୀ ଧରି ଆସି ଅନ୍ୟ ଜଣେ ଛାତ୍ରକୁ ଆକ୍ରମଣ କରିଛି ।
ଆକ୍ରମଣକାରୀ ଛାତ୍ର ଗୁରୁତର ଆହତ କରି ପକାଇଥିବା ଛାତ୍ରର ନାଁକୁ ନେଇ କୁଆଡେ ଟାହିଟାପରା କରି ଆସୁଥିଲା । ଆହତ ଛାତ୍ରଜଣକ ପ୍ରତିବାଦ କରି ଆସୁଥିଲା । କିଛି ବୁଝିବା ଆଗରୁ ଆକ୍ରମଣକାରୀ ଛାତ୍ରଟି ଟାହିଟାପରା ସହ୍ୟ କରି ଆସୁଥିବା ଛାତ୍ରକୁ ପ୍ରଥମେ ଗଳାଧକ୍କା ମାରିଥିଲା । ତଳେ ପଡିଯିବା କ୍ଷଣି ପ୍ୟାଣ୍ଟ ପକେଟ୍ରୁ ହଠାତ୍ ଏକ ଛୁରୀ ବାହାର କରି ତାର ତଳି ପେଟକୁ ଭୁଶି ପକାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାତ୍ରଟି ଚିତ୍କାର ଛାଡିବା କ୍ଷଣି ଶିକ୍ଷକ , କର୍ମଚାରୀ ଓ ଛାତ୍ରମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ । ପରେ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚି ଯାଇଥିଲେ । ତତ୍କ୍ଷଣାତ୍ ଭଞ୍ଜନଗର ହସପିଟାଲକୁ ପିଲାଟିକୁ ନିଆଯାଇଥିଲା ।
ପେଟର ଆଭ୍ୟନ୍ତରିଣ ଅଂଶକୁ ଛୁରୀ ଆଘାତ ଲାଗିଥିବାରୁ ତାକୁ କାଳବିଳମ୍ବ ନକରି ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି । ଘଟଣା ପ୍ରଚାର ହେବା କ୍ଷଣି ହସପିଟାଲ ଲୋକାରଣ୍ୟ ହୋଇ ପଡ଼ିଥିଲା । ଛାତ୍ରଟି ବିଦ୍ୟାଳୟକୁ ଛୁରୀ କିପରି ଧରି ଆସିଲା ତାହା ଏବେ ପ୍ରଶ୍ନବାଚୀ । ଛାତ୍ରଟି କିଛିଦିନ ହେଲା ଏକ ଛୁରୀ କିଣି ବହିବ୍ୟାଗ ଭିତରେ ଧରି ବିଦ୍ୟାଳୟ ପରିସରକୁ ଆସୁଥିଲା ବୋଲି ସାଥିରେ ଆସିଥିବା ଅନ୍ୟ କିଛି ଛାତ୍ର ଡାକ୍ତରଖାନାରେ ପ୍ରକାଶ କରିଛନ୍ତି । ଛାତ୍ରଟି କାହିଁକି ଏପରି ପଥକୁ ଆପଣେଇଛି ତାହାର କାରଣ ଜଣାପଡିନି । ଗାଙ୍ଗପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



