ଅନୁଗୋଳରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ
‘‘ପ୍ରବାଦ ପୁରୁଷ ବିଜୁ ବାବୁ ଥିଲେ ଦିବ୍ୟଦ୍ରଷ୍ଟା’’: ଜିଲ୍ଲାପାଳ

ଜେ ବି ଏନ, ୦୫/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଓ ଲୋକସେବା ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଜଣେ ଦିବ୍ୟଦ୍ରଷ୍ଟା । ଏହାର ଜ୍ଵଳନ୍ତ ଉଦାହରଣ ହେଉଛି ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଶୁଭାରମ୍ଭ ଏବଂ ନାରୀ ସଶକ୍ତିକରଣ । ଭୂମିପୁତ୍ର ବିଜୁ ବାବୁ ଗ୍ରାମୀଣ ବିକାଶକୁ ସବୁବେଳେ ପ୍ରାଧାନ୍ୟ ଦେଇଆସୁଥିଲେ । ଅନୁଗୋଳ ଜିଲ୍ଲା ମନରେଗା ଯୋଜନାରେ ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ହାସଲ କରିସାରିଛି । ଏହି ଯୋଜନାରେ ଜିଲ୍ଲାକୁ ପୁନର୍ବାର ଦିଆଯାଇଥିବା ୪୫ ଲକ୍ଷ ଟଙ୍କାର ଧାର୍ଯ୍ୟ ଲକ୍ଷ୍ୟଠାରୁ ମାତ୍ର କେଇ ପାଦ ପଛରେ ଅଛି । ଆଜି ତାରିଖ ସୁଦ୍ଧା ୯୮ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇସାରିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଓଡିଆ ଲୋକଙ୍କୁ ନିଜ ପ୍ରାଣଠାରୁ ଅଧିକ ଭଲ ପାଉଥିବା ବିଜୁ ବାବୁ ଓଡିଶାବାସୀଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ସର୍ବଦା ପରାମର୍ଶ ଦେଇ ଆସୁଥିଲେ । ନିଜର ରାଜସ୍ୱ ବଢାଇବାପାଇଁ ଜିଲ୍ଲାର ପଞ୍ଚାୟତ ମାନଙ୍କ ପାଖରେ ଯଥେଷ୍ଟ ସୁଯୋଗ ଅଛି, ସେ ଦିଗରେ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆଜିର ଅବକ୍ଷୟମୁଖି ପୃଥିବୀରେ ଆମ ଶିଳ୍ପସମୃଦ୍ଧ ଜିଲ୍ଲାର ଜଳ, ଜଙ୍ଗଲ ଓ ପରିବେଶକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ପ୍ରାଥମିକ ଦାଇତ୍ଵ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ଥିବା ଜଙ୍ଗଲରେ ଜଳୁଥିବା ନିଆଁକୁ ସ୍ଥାନୀୟ ଅଞ୍ଚଳବାସୀ ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗରେ ତୁରନ୍ତ ଲିଭାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଡା ଧରଣୀଧର ନାଥ ଯୋଗଦେଇ ବିଜୁ ବାବୁଙ୍କୁ ଓଡିଆ ଅସ୍ମିତାର ପ୍ରତୀକ, ଅପ୍ରତିଦ୍ଵନ୍ଦୀ ଜନନାୟକ ଓ ଝଡର ଇଗଲ ବୋଲି ଅଭିହିତ କରିଥିଲେ । ଇଗଲ ଯେମିତି ଜୀବନରେ ଦୁଇଥର ନିଜକୁ ଆବିଷ୍କାର କରାଏ ଜୀବନର ଦ୍ଵିତୀୟାର୍ଦ୍ଧରେ ପୁଣିଥରେ ନୂତନ ପକ୍ଷ, ନଖ, ଥଣ୍ଟ ସୃଷ୍ଟି କରି ଠିକ ସେମିତି ବିଜୁ ବାବୁଙ୍କୁ ମଧ୍ୟ ପ୍ରଥମେ ଯୌବନରେ ୧୯୬୨ ମସିହାରେ ଏବଂ ଆଉଥରେ ବୟସର ସାୟାର୍ଣ୍ଣରେ୧୯୯୦ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସୁଯୋଗ ମିଳିଥିଲା । ପ୍ରଥମଥର ଯୁବ ଶକ୍ତିକୁ ସଶକ୍ତ କରିଥିଲାବେଳେ ଦ୍ଵିତୀୟ ଥର ନାରୀ ମାନଙ୍କ ପାଇଁ ୩୩ ପ୍ରତିଶତ ସରକ୍ଷଣ ଆଣି ସଶକ୍ତ କରିଥିଲେ । ଅଦମ୍ୟ ଇଚ୍ଛାଶକ୍ତି, ପ୍ରଭାବଶାଳୀ ବ୍ୟକ୍ତିତ୍ଵ ଓ ମା-ମାଟି ପାଇଁ ଥିବା ଅସିମୀତ ଆନ୍ତରିକତା ତାଙ୍କୁ ଭାରତୀୟ ରାଜନୀତିର ପ୍ରବାଦ ପୁରୁଷ ଓ ଟଲ ମ୍ୟାନ ଭାବେ ଗଢି ତୋଳିଥିଲା ବୋଲି ଶ୍ରୀ ନାଥ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ବାସନ୍ତୀ କିଶାନ, ଜିଲ୍ଲାପରିଷଦ ଉପାଧକ୍ଷ ଶ୍ରୀ ଇନ୍ଦ୍ରମଣି ଗଡନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଦୁଃସାହସୀ ବିଜୁ ବାବୁଙ୍କର ବୈପ୍ଳବିକ ଓ ପ୍ରତିଭା ସମ୍ପର୍ଣ୍ଣ ଆତ୍ମଜୀବନୀ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ସାହୁ ତାଙ୍କର ସ୍ଵାଗତ ଭାଷଣରେ ପଞ୍ଚାୟତି ରାଜ ଓ ଲୋକ ସେବା ଦିବସର ଆଭିମୁଖ୍ୟ, ଉଦ୍ଦେଶ୍ୟ ଓ ବିଜୁ ବାବୁଙ୍କର ପଞ୍ଚାୟତି ରାଜ ବିଭାଗ ପ୍ରତି ଥିବା ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାବାସୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ସମ୍ପର୍କରେ ଶ୍ରୀ ସାହୁ ସୂଚନା ଦେଇଥିଲେ । ସକାଳେ ଜିଲ୍ଲାପ୍ରଶାସନ ତରଫରୁ ବିଜୁ ମଇଦାନ ଠାରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରଯାଇଥିଲା । ଜିଲ୍ଲାପାଳ, ଉଭୟ ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ସମେତ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୀ, ତାମଡା ସମ୍ପାଦକ ଶ୍ରୀ ବଇତୁରା ଦୀପ, ଭୂ-ଅର୍ଜନ ଅଧିକାରୀ ଶ୍ରୀ ରତନ କୁମାର ଆଚାର୍ଯ୍ୟ, ଜିଲ୍ଲା ନିଜାରତ ଅଧିକାରୀ ଶ୍ରୀ ରଞ୍ଜନ କୁମାର ମହାନ୍ତି, ସହକାରୀ ଜିଲ୍ଲାପାଳ ଶ୍ରୀ ଦୋଳଗୋବିନ୍ଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନ ପ୍ରମୁଖ ମାଲ୍ୟାର୍ପଣ ସମୟରେ ଉପସ୍ଥିତ ଥିଲେ।




