ଦାୟିତ୍ବରେ ଅବହେଳା କରି ନିଲମ୍ବିତ ହେଲେ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଜେ ବି ଏନ, ୦୯/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ ), ଅନୁଗୋଳ : ଦାୟିତ୍ୱରେ ଅବହେଳା କରିଥିବାରୁ ବାରଗଣିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଅର୍ଜୁନ କୁମାର ପୃଷ୍ଟି ଓ ପାଲଲହଡା ବ୍ଲକରେ ଅବସ୍ଥାପିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସଦାଶିବ ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଗତ ମାସ ୨୭ ତାରିଖରେ ଅନୁଗୋଳ ବ୍ଳକର କନିଷ୍ଠ ଯନ୍ତ୍ରୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନଂକର ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜଣାପଡିଲା ଯେ , ଶ୍ରୀ ପୃଷ୍ଟି ଡି ଆର ଡି ଏ ଟିମର କ୍ଷେତ୍ର ପରିଦର୍ଶନ ସମୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ । ପୁନର୍ବାର ଅପରାହ୍ନ ୩ ଘଟିକା ସମୟରେ ଅନୁଗୋଳ ବ୍ଳକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅନୁପସ୍ଥିତ ଥିଲେ । ଶ୍ରୀ ପୃଷ୍ଟି ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିନା ଅନୁମତିରେ ସଦର ମହକୁମା ଛାଡି ଚାଲିଯାଇଥିଲେ । କର୍ତ୍ତବ୍ୟରେ ଅବହେଳା ଓ ଦାୟିତ୍ବ ହିନତା ପାଇଁ ତାଂକୁ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେହିପରି ଗତକାଲି ପାଲଲହଡା ବ୍ଲକର କନିଷ୍ଠ ଯନ୍ତ୍ରୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନଂକର ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜଣାପଡିଲା ଯେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଛନ୍ତି । ଶ୍ରୀ ପ୍ରଧାନ ମୁଣ୍ଡିବେଡା ଗ୍ରାମପଞ୍ଚାୟତରେ କେତେକ ହିତାଧିକାରୀମାନଂକୁ ୨ଥର ଲେଖାଏଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଂଜୁର କରିଛନ୍ତି । ସେ ନିଜ ଦାୟିତ୍ବରେ ଘୋର ଅବହେଳା ପ୍ରଦର୍ଶନ ପୂର୍ବକ ପ୍ରଶାସନକୁ ଅସୁବିଧାରେ ପକାଇବା ସହ ବିନା ଅନୁମତିରେ ସଦର ମହକୁମା ଛାଡି ଚାଲି ଯିବାର ନଜିର ରହିଛି । ପୁନର୍ବାର ଶ୍ରୀ ପ୍ରଧାନ ବ୍ଲକ୍ କାର୍ଯ୍ୟାଳୟରେ ଟେବୁଲ , ଚେୟାର ଓ ଅନ୍ୟାନ୍ୟ ଆସବାବ ପତ୍ର ଭଂଗାରୁଜା କରିଛନ୍ତି, ଏଥିପାଇଁ ତାଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଫିୟତ ମାଗିଥିଲେ ମଧ୍ୟ ସେ ତାର ଉତ୍ତର ଦେଇନଥିଲେ । ଏହିସବୁ ଦାୟିତ୍ବହୀନତା ଯୋଗୁଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତାଂକୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଗୁରୁଭା ସିଂଙ୍କ ସୁତ୍ରରୁ ପ୍ରକାଶ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
