ଭୁବନେଶ୍ୱର: ରାଜ୍ୟରୁ ବଳକା ଚାଉଳ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାନଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରୁ ୨୦ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି।
ଗୋଏଲଙ୍କୁ ଲେଖିଥିବା ଚିଠିରେ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ପାଇଁ କେଏମଏସ ୨୦୨୨-୨୩ ପାଇଁ ଅତିରିକ୍ତ ୨୦ ଲକ୍ଷ ମେଟ୍ରିକ ଟନ୍ ବଳକା ଚାଉଳ (୧୭ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ଏବଂ ୩ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ) ଉଠିଇବା ଆବଶ୍ୟକ। ଏହି ବଳକା ଚାଉଳ ନଉଠିଲେ ଆଗାମୀ ଋତୁରେ ରାଜ୍ୟର ଧାନ ସଂଗ୍ରହ ଗୁରୁତର ଭାବେ ପ୍ରଭାବିତ ହେବା ସହିତ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଜୀବନ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ଯେଉଁମାନଙ୍କର ମୁଖ୍ୟ ଆୟ ଧାନ ସଂଗ୍ରହର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ପରିଚାଳନା ମାଧ୍ୟମରେ ହୋଇଥାଏ।




