ଉତ୍କଳ ଦିବସରେ କୋରାପୁଟର କୋଟିଆ ଗ୍ରାମପଞ୍ଚାୟତର ଏକ ଗାଁକୁ ଗସ୍ତ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଏବେ ବିଚଳିତ ହୋଇଛି ଆନ୍ଧ୍ରପ୍ରଦେଶ। ଧର୍ମେନ୍ଦ୍ର ସ୍ଥାନୀୟ ଲୋକଙ୍କ ସହ ଉତ୍କଳ ଦିବସ ପ୍ରତିଷ୍ଠା ପାଳନ କରିଥିଲେ। ଏହି ସମୟରେ ଉପସ୍ଥିତ ଥିବା ଆନ୍ଧ୍ର ଅଧିକାରୀଙ୍କ ‘ଗୋ-ବ୍ୟାକ’ ନାରା ଦେଇଥିଲେ।
ଯାହାକୁ ନେଇ ପଡ଼ୋଶୀ ଏବେ ଉତକ୍ଷିପ୍ତ ହୋଇଥିବା ଦେଖିବାକୁ ମିଳିଛି।
ସମସ୍ତ ଦଳ ଧର୍ମେନ୍ଦ୍ରଙ୍କ ଗସ୍ତକୁ ନାପସନ୍ଦ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ଚେତାବନୀ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ରାଜନୈତିକ ଦଳର ନେତାମାନେ ବିବାଦୀୟ ଅଞ୍ଚଳରେ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ବଜାୟ ରଖିବା ନିର୍ଦ୍ଦେଶକୁ ସମ୍ମାନ ଦିଆଯିବା ଉଚିତ ବୋଲି କହିଛନ୍ତି। କହିରଖୁଛୁ, ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଗ୍ରାମପଞ୍ଚାୟତ ଉପରେ ନିଜର ଅଧିକାର ଦାବି କରିଆସୁଛନ୍ତି।
ଆନ୍ଧ୍ରପ୍ରଦେଶ ବିଧାନସଭାରେ ସାଲୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଉପମୁଖ୍ୟମନ୍ତ୍ରୀ (ଆଦିବାସୀ କଲ୍ୟାଣ) ପି. ରାଜନ୍ନା ଦୋରା ବିବାଦୀୟ ଅଞ୍ଚଳକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନିନ୍ଦା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସମଗ୍ର ଦେଶର ପ୍ରତିନିଧିତ୍ୱ କରୁଥିବାରୁ ସେ ଏଭଳି ବୟାନବାଜିରୁ ନିଜକୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି। ସମସ୍ୟାର ସମାଧାନ ନହେବା ଯାଏ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଆମକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପାଳନ କରିବାକୁ ପଡିବ ବୋଲି ପାର୍ବତୀପୁରମ-ମାନିଆମ ଜିଲ୍ଲାର ସାଲୁର ଠାରେ ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।
ସେପଟେ ରାଜ୍ୟ ବିଜେପି କହିଛି, ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଜଣେ ଓଡ଼ିଆ। ତାପରେ ସେ ଜଣେ କେନ୍ଦ୍ରମନ୍ତ୍ରୀ। ସେ କୋଟିଆ ଗସ୍ତ କରି ଯାହା କରିଛନ୍ତି ଠିକ୍ କରିଛନ୍ତି।
୧୯୫୬ ମସିହାରୁ ଆରମ୍ଭ ହୋଇଥିବା ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ଏକ କମିସନ ଗଠନ କରିବାକୁ ତେଲୁଗୁ ଦେଶମ ପାର୍ଟିର ପୂର୍ବତନ ଏମ୍ଏଲସି ତଥା ଆଇନଜୀବୀ ଡି. ଜଗଦୀଶ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ବିବାଦୀୟ ଗାଁରେ ରହୁଥିବା ଲୋକଙ୍କ ମତାମତ ନେଇ ଆପୋଷ ସମାଧାନର ବାଟ ବାହାର କରିବାକୁ କେନ୍ଦ୍ର ସରକାରଙ୍କୁ ପଡ଼ିବ ବୋଲି ଆଇନଜୀବୀ କହିଛନ୍ତି।
ସେହିପରି ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ବି. ବାବଜୀ ବିଜୟନଗରମ ଠାରେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଗାଁ ଗସ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଉଲ୍ଲଙ୍ଘନ। ତେଣୁ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ।
ଅନ୍ୟପଟେ ପାର୍ବତୀପୁରମ-ମାନ୍ୟମ ଜିଲ୍ଲାପାଳ ନିଶାନ୍ତ କୁମାର ଏବଂ ଏସପି ବିଦ୍ୟା ସାଗର ନାଇଡୁ କୋଟିଆ ଅଞ୍ଚଳର ସ୍ଥିତି ଉପରେ ନଜର ରଖିଛନ୍ତି। ଯେଉଁଠି ସରକାର ଦୁଇ ବର୍ଷ ତଳେ ପଞ୍ଚାୟତ ନିର୍ବାଚନ କରି ଅନେକ ଜନହିତକର କାମ ହାତକୁ ନେଇଥିଲେ। ଅନ୍ୟପଟେ ଗାଁ ଗୁଡିକରେ ଅଧିକ କଲ୍ୟାଣମୂଳକ କାମ କରିବା ପାଇଁ ଆନ୍ଧ୍ର ସରକାର ଏହି ଅଞ୍ଚଳକୁ ଏକ ସରକାରୀ ଅଧିକାରୀ ଦଳ ପଠାଇପାରନ୍ତି ବୋଲି ସୂଚନା ମିଳିଛି।
ପାର୍ବତୀପୁରମ-ମାନ୍ୟମ ଜିଲ୍ଲା ଗଠନ ସମୟରେ ସରକାର କୋଟିଆ ଅଞ୍ଚଳର ୨୧ଟି ଗାଁକୁ ଆନ୍ଧ୍ର ମାନଚିତ୍ରରେ ଦେଖାଇଥିଲେ। ଓଡିଶା ସରକାର ଏହି ଗାଁ ଗୁଡିକ କୋରାପୁଟ ଜିଲ୍ଲାର ଏକ ଅଂଶବିଶେଷ ବୋଲି ଦାବି କରୁଛନ୍ତି। ଏହି ଅଞ୍ଚଳରେ ପ୍ରଚୁର ଖଣିଜ ସମ୍ପଦ ରହିଛି। ଯାହାକି ବିବାଦର କାରଣ ବୋଲି କୁହାଯାଉଛି।
ସୋର୍ସ news




