ବନ୍ତଳାରେ ପୁଣି ହାତୀ ଆତଙ୍କ,
ସୁରକ୍ଷା ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମ ଲୋକ
ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ। ଆଜି ବନ୍ତଳା ବନାଞ୍ଚଳ ହିଡିସିଙ୍ଗ ଗ୍ରାମରେ ହାତୀ ଲୋକଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି। ଫଳରେ କ୍ଷତିଗ୍ରସ୍ତ ପରିବାର ଆଜି ସକାଳୁ ସାତକୋଶିଆ ଅଭୟାରଣ୍ୟ ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତିରେ ହିଡିସିଙ୍ଗ ଗ୍ରାମରେ ଦନ୍ତାହାତୀ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଓ ଭାତ ଖାଇଛି। ଗ୍ରାମର ପିତାମ୍ବର ଦେହୁରୀ, କଳ୍ପ ପଧାନ, କର୍ଣ୍ଣ ଦେହୁରୀ ଓ କୁମାରୀ ପଧାନଙ୍କ ଘରେ ଗତକାଲି ରାତିରେ ହାତୀ ପଶିଥିଲା। ସେହିପରି ରବିବାର ରାତିରେ ମଧ୍ୟ ହାତୀ ଯୋଗୁଁ ଲୋକମାନେ ରାତି ଅନିଦ୍ରା ହୋଇଥିଲେ। ତେବେ ଏଥିରେ ଅତିଷ୍ଠ ହୋଇ କ୍ଷତିଗ୍ରସ୍ତ ପରିବାର ଆଜି ଅନୁଗୋଳ-ସାତକୋଶିଆ ରାସ୍ତା ଅବରୋଧ କରିଛନ୍ତି। ପ୍ରକାଶ ଯେ, ବନ୍ତଳା ବନାଞ୍ଚଳରେ ବିଗତ ଦିନରେ ହାତୀ ଆକ୍ରମଣରେ ୧୬ ଜଣଙ୍କ ପ୍ରାଣ ଯାଇଛି। ହାତୀ ଘଉଡ଼ାଇବାକୁ ବନ ବିଭାଗ ଉଦ୍ୟମ ଫେଲ ମାରିଛି। ଅବରୋଧ ସ୍ଥଳକୁ ବନ ବିଭାଗ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ରୁ ଓହରିଥିଲେ।





