ଲୋକସେବା ଭବନ ହେଲା ‘ତମାଖୁମୁକ୍ତ ଅଞ୍ଚଳ’
ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସ୍ୱଚ୍ଛ ଓ ସୁସ୍ଥ କାର୍ଯ୍ୟପରିବେଶ ସୃଷ୍ଟି ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି ହୋଇଛି।
ନୂଆ ନିୟମ ଅନୁଯାୟୀ, ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁଜାତୀୟ ସାମଗ୍ରୀର ବ୍ୟବହାର ଏବଂ ତମାଖୁ ଛେପ ପକାଇବା ନିଷିଦ୍ଧ କରାଯାଇଛି। ନିୟମ ଉଲ୍ଲଂଘନ କଲେ ପ୍ରଚଳିତ ଆଇନ ଅନୁଯାୟୀ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ହେବ।
ସ୍ୱାସ୍ଥ୍ୟ ବିଭାଗର ନୋଟିଫିକେସନ୍ରେ ତମାଖୁ ବ୍ୟବହାରକୁ କ୍ୟାନ୍ସର, ହୃଦ୍ରୋଗ ଓ ଫୁସଫୁସଜନିତ ରୋଗ ସମେତ ବିଭିନ୍ନ ଅଣସଂକ୍ରାମକ ରୋଗର ଏକ ପ୍ରମୁଖ କାରଣ ଭାବେ ଉଲ୍ଲେଖ କରାଯାଇଛି। ଭାରତରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ମୃତ୍ୟୁ ତମାଖୁ ବ୍ୟବହାର ସହ ଜଡ଼ିତ ବୋଲି ନୋଟିଫିକେସନ୍ରେ କୁହାଯାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ‘ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ’ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଲୋକସେବା ଭବନକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।
ତମାଖୁ ବ୍ୟବହାରରୁ ଦୂରେଇ ରହିବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପହଞ୍ଚାଇବା ପାଇଁ ଆଗାମୀ ଦିନରେ ମଧ୍ୟ ସଚେତନତା ଓ ନିୟନ୍ତ୍ରଣମୂଳକ ପଦକ୍ଷେପ ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି।



