ଭୂବନେଶ୍ବର ୩୦/୦୩ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉସସବ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଅଧିକାରୀଙ୍କର ୩ଟି ବହୁତଳ କୋଠା, ଜଟଣୀରେ ୨ଟି ପ୍ଲଟ୍ ଠାବ ହେବା ସହ ୨୦୦ ଗ୍ରାମ୍ ସୁନା ଜବତ ହୋଇଥିଲା । ଭିଜିଲାନ୍ସ ଟିମ୍ ଦେବାଶିଷ ସାହୁଙ୍କ ଜଟଣୀ ସ୍ଥିତ ଘର, ଭୁବନେଶ୍ୱର ଅଫିସ୍, ପୈତୃକ ଘର, କଟକ ଚୌଦ୍ୱାରରେ ଥିବା ସମ୍ପର୍କୀୟଙ୍କ ଘର ସହ ମୋଟ୍ ୭ଟି ସ୍ଥାନରେ ଚଢ଼ଉ କରିଥିଲା ।
ଏହି ସମୟରେ ତାଙ୍କ ନିକଟରୁ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଜଟଣୀ କଲେଜ୍ ରୋଡ୍ରେ ଦୁଇ ମହଲା ଘର । ଯାହା ୬୩୦୦ ବର୍ଗଫୁଟ୍ରେ ଠିଆ ହୋଇଛି । ଜଟଣୀ ପଟେଲ୍ ମାର୍ଗରେ ୨୫୦୦ ବର୍ଗଫୁଟ୍ରେ ରହିଛି ଆଉ ଏକ ଦୁଇ ମହଲା ଘର । ସେହି ପଟେଲ୍ ମାର୍ଗରେ ୪୮୦୦ ବର୍ଗଫୁଟ୍ରେ ତିଆରି ଚାଲିଛି ୩ ମହଲା ଘର, ବନଦୁର୍ଗା ମାର୍କେଟ୍ କମ୍ପେ୍ଲକ୍ସରେ ୨ଟି ଘର ଠାବ ହୋଇଛି । ଏହାଛଡା ତାଙ୍କ ଆଇଗଣିଆ ପୈତୃକ ଘରେ ଚଢ଼ଉ ସମୟରେ ୧ ଲକ୍ଷ ୫୭ ହଜାର ଟଙ୍କା, ୨୦୦ ଗ୍ରାମ୍ ସୁନା ଅଳଙ୍କାର, ୫୬ ଲକ୍ଷ ଟଙ୍କା ବୀମା ଓ ବ୍ୟାଙ୍କ୍ ଜମା, ୩ଟି ବାଇକ୍ ଓ ୧୦ ଲକ୍ଷ ଟଙ୍କା ମୂଲ୍ୟର ଦାମୀ ଗୃହ ଉପକରଣ ଠାବ ହୋଇଛି । ସେ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଅନେକ ସମ୍ପତ୍ତି କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।



