ଭୂବନେଶ୍ବର,୫/୪ : କେନ୍ଦ୍ର କ୍ୟାବିନେଟ୍ରେ ୪ଟି ବଡ଼ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା ସମେତ ଛତିଶଗଡ଼ ଓ ମହାରାଷ୍ଟ୍ରରେ ନିର୍ମାଣ ହେବ। ଏଥିରେ ଓଡ଼ିଶାର ୨ଟି ପ୍ରକଳ୍ପ ସାମିଲ ରହିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଓଡ଼ିଶାରେ ରେଳ ପ୍ରକଳ୍ପର ବକାଶ ପାଇଁ କେନ୍ଦ୍ର ସରକାର ଜରପଡ଼ା-(ତାଳଚେର-ଅନୁଗୁଳ ଅଞ୍ଚଳ) ସମ୍ବଲପୁର-(ଶାସନ)ଝାରସୁଗୁଡ଼ା ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।
ରେଳମନ୍ତ୍ରୀ କହିଛନ୍ତି, ଜରପଡ଼ା-ସମ୍ବଲପୁର ମଧ୍ୟରେ ୧୨୭କିମି ବିଶିଷ୍ଟ ତୃତୀୟ ଓ ଚତୁର୍ଥ ରେଳଲାଇନ୍ ପାଇଁ ୩,୯୧୭ କୋଟି ଟଙ୍କା ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ବାରା ରାଜ୍ୟର ଜିଡିପିରେ ପରିବର୍ତ୍ତନ ହେବ ଏବଂ ଅର୍ଥନୈତିକ କାରବାରରେ ସହାୟକ ହେବ। ୨୭ମିଲିୟନ ଟନ୍ ଅତିରିକ୍ତ ମାଲ ପରିବହନ କରାଯାଇପାରିବ।କେନ୍ଦ୍ର କ୍ୟାବିନେଟ୍ରେ ୪ଟି ବଡ଼ ରେଲୱେ ପ୍ରକଳ୍ପକୁ ଅନୁମୋଦନ ମିଳିଛି। କ୍ୟାବିନେଟରେ ୧୮ ହଜାର ୬୫୮ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶାର ୧୫ ଜିଲ୍ଲାକୁ କଭର କରିବ। ଓଡ଼ିଶାର ଆର୍ଥିକ ବିକାଶରେ ସହାୟକ ହେବ। ସମ୍ବଲପୁର-ଜରପଡ଼ା ତୃତୀୟ ଓ ଚତୁର୍ଥ ଲାଇନ, ଝାରସୁଗୁଡ଼ା-ଶାସନ ତୃତୀୟ-ଚତୁର୍ଥ ଲାଇନ୍ କାମ ଏଥିରେ ସାମିଲ ଅଛି। ୨୦୩୦-୩୧ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।-ଅଶ୍ୱିନୀ ବୈଷ୍ଣବ, ରେଳମନ୍ତ୍ରୀସେହିପରି ସମ୍ବଲପୁର(ଶାସନ)-ଝାରସୁଗୁଡ଼ା ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳଲାଇନ୍ ପ୍ରକଳ୍ପ ଓଡ଼ିଶାର ଆର୍ଥିକ ବିକାଶରେ ସହାୟକ ହେବ। ଏହି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ୩୫କିମି ବିଶିଷ୍ଟ ରେଳଲାଇନ୍ ପାଇଁ କେନ୍ଦ୍ର ସରକାର ୧୧୮୧ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ଅନ୍ୟ ପ୍ରକଳ୍ପ ଗୁଡ଼ିକ ହେଲା ଛତିଶଗଡ଼ର ଖରସିଆ-ନୟା ରାୟପୁର-ପରମଲକସା ୨୭୮ କିମି ରେଳଲାଇନ, ଯେଉଁଥି ପାଇଁ ୮୭୪୧ କୋଟି ଟଙ୍କା ଅନୁମୋଦନ ହୋଇଛି। ସେହିପରି ମହାରାଷ୍ଟ୍ରର ଗୋନ୍ଦିଆ-ବହ୍ଲାରଶାହ ରେଳଲାଇନ ପାଇଁ ୨୪୦କିମି ରେଳଲାଇନ୍ ପାଇଁ ୪,୮୧୯ କୋଟି ଟଙ୍କା ଅନୁମୋଦନ ମିଳିଛି।



