ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରାଟିସ୍ଲାଭା ଠାରେ ସ୍ଲୋଭାକ୍- ଭାରତ ବ୍ୟାବସାୟିକ ଫୋରମ୍କୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ ଭାରତ-ସ୍ଲୋଭାକିଆ ବନ୍ଧୁତ୍ୱକୁ ସଶକ୍ତ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଲାଗି ତାଙ୍କର ସ୍ଲୋଭାକିଆ ପ୍ରତିପକ୍ଷ ପିଟର ପେଲିଗ୍ରିନିଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେ କହିଛନ୍ତି, ବ୍ୟବସାୟିକ ସୁଯୋଗକୁ ଆପୋଷ ଭାଗିଦାରୀରେ ପରିବର୍ତ୍ତନ କରିବା ଲାଗି ଏଭଳି ଫୋରମ୍ ଉଲ୍ଲେଖନୀୟ ସୁଯୋଗ ପ୍ରଦାନ କରିଥାଏ । ଆଗାମୀ ଦିନରେ ଭାରତର ଅର୍ଥ ବ୍ୟବସ୍ଥା ୫ ଟ୍ରିଲିୟନ୍ ଆମେରିକୀୟ ଡଲାର୍ରେ ପରିଣତ ହେବା ସହିତ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥ ବ୍ୟବସ୍ଥାର ମାନ୍ୟତା ପାଇବାକୁ ଯାଉଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି । ସେ କହିଛନ୍ତି, ସ୍ଲୋଭାକିଆର ସଶକ୍ତ ଶିଳ୍ପ ଭିତ୍ତିଭୂମି ଏବଂ ରଣନୈତିକ ଅବସ୍ଥିତି ମାଧ୍ୟମରେ ସେଠାରେ ଭାରତ ଲାଗି ନୂତନ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।ଏ ଦିଗରେ ଭାରତର ପ୍ରତିଭା ସ୍ଲୋଭାକିଆର ଅର୍ଥ ବ୍ୟବସ୍ଥା ଲାଗି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ ସ୍ଲୋଭାକିଆ ରାଷ୍ଟ୍ରପତି ନିଜ ଉଦ୍ବୋଧନରେ କହିଛନ୍ତି, ଦୁଇ ଦେଶ ପରସ୍ପରଠାରୁ ଅନେକ ଦୂରରେ ଥିଲେ ମଧ୍ୟ ଆମର ଦ୍ୱିପକ୍ଷିୟ ସମ୍ପର୍କ ଅଧିକ ସଶକ୍ତ ହେବାରେ ଲାଗିଛି ।ସ୍ଲୋଭାକ୍ର ଇଞ୍ଜିନିୟରିଂ ଏବଂ ବିନିର୍ମାଣ ଶକ୍ତି ସହିତ ଭାରତର ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତାର ମିଶ୍ରଣ ମାଧ୍ୟମରେ ଅନେକ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଦୁଇ ଦେଶର ଏହି ବ୍ୟବସାୟିକ ଫୋରମ୍ ଏଭଳି ସୁଯୋଗକୁ ବାସ୍ତବ ରୂପ ଦେବାରେ ସହାୟକ ହେବ ବୋଲି ଶ୍ରୀ ପେଲିଗ୍ରିନି କହିଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
