କାଇମାଟି ଫଟାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ପଂଚାୟତର ଅଧିବାସୀମାନେ ଏହାକୁ ବିରୋଧ କରି, ଏହାଏକ ସଂପୂର୍ଣ ପ୍ରାୟୋଜିତ ଓ ଭିତିହୀନ ବୋଲି ପଂଚାୟତବାସୀମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ପଂଚାୟତବାସୀମାନେ ଅଭିଯୋଗ କରିଛନ୍ତି ଯେ, ବର୍ତମାନର ବିଜେଡି ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ୱାମୀ ଫିଟୁ ଦେହୁରୀ ଯିଏକି ସଦର ବ୍ଲକ୍ର ବିଜେଡି ସଭାପତି ଅଛନ୍ତି, ସେ ଓ ତାଙ୍କ ଗୁଣ୍ଡା ବାହିନୀମାନେ କେତେକ ୱାର୍ଡ ମେମ୍ବର ଓ ତାଙ୍କ ପରିବାର ଲୋକଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଦେବା ସହିତ ଡରେଇ ଧମକେଇ ଗତ ୧୮ ତାରିଖ ରାତିରେ ସେମାନଙ୍କୁ ଉଠାଇ ନେଇ କୌଣସି ଏକ ଅଜ୍ଞାତ ସ୍ଥାନରେ ଅଟକ କରିଛନ୍ତି ଏବଂ ସେମାନଙ୍କୁ ବ୍ଲାକ୍ମେଲ୍ କରି ଜବରଦସ୍ତ ଗୋଟିଏ ଗାଡିରେ ଆଣି ତାଙ୍କ ଠାରୁ ଅନାସ୍ଥା କାଗଜରେ ଦସ୍ତଖତ କରାଇ ନିଜେ ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଗତ ୨୦୧୨ ଠାରୁ ୨୦୧୭ ମସିହାରେ ପାଂଚ ବର୍ଷ ଧରି ପିଣ୍ଟୁ ଦେହୁରୀଙ୍କ ସ୍ତ୍ରୀ ବ୍ଲକ୍ ଅଧ୍ଯକ୍ଷା ଥିବା ସମୟରେ ଓ ସରପଂଚ ଥିବା ୨୦୧୯ ରୁ ୨୦୨୨ ମସିହା ଚାରିବର୍ଷ ବ୍ୟାପକ ଦୂର୍ନୀତି କରିବା ସହିତ କୋଟି କୋଟି ଟଙ୍କାର ମିଛ ବିଲ୍ କରି କୋଟି କୋଟି ଟଙ୍କା ହଡପ କରିଛନ୍ତି । ତେଣୁ ପଂଚାୟତବାସୀମାନେ କହିଛନ୍ତି ଯେ, ସମସ୍ତ ଆଠଜଣ ୱାର୍ଡ ମେମ୍ବରମାନଙ୍କ ସହିତ ସେମାନଙ୍କ ପରିବାରକୁ ଅନୈତିକ ଭାବେ ଅଟକ ରଖୁଥିବା ସ୍ଥାନରୁ ମୁକ୍ତ କରି ସେମାନଙ୍କ ଦ୍ବାରା ଦିଆଯାଇଥିବା ଅନାସ୍ଥା ସମ୍ମଳିତ ଅଭିଯୋଗ ଗୁଡିକର ନିରପେକ୍ଷ ଯାଂଚ କରାଯାଉ ଓ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ପତ୍ର ପ୍ରଦାନ ବେଳେ ପଂଚାୟତର ଭୀମସେନ ବେହେରା, ଧୃବ ଚରଣ ବେହେରା , ପରମାନନ୍ଦ ବେହେରା, ହୃଦାନନ୍ଦ ବେହେରା, ଜଗବନ୍ଧୁ ଦେହୁରୀ, କପିଳେଶ୍ଵର ବେହେରା, ପାଂଚେଳି ସେଠୀ, ଜାଫୁନ୍ ସେଠୀ, ବିଜୟ କୁମାର ମିଶ୍ରଙ୍କ ସମେତ ଶତାଧିକ ପଞ୍ଚାୟତବାସୀ ଉପସ୍ଥିତ ଥିଲେ ।



