ଭଉଁରୀ ତିଥିରେ ସୋମବାର ନିର୍ମାଣାଧୀନ ତିନି ରଥର ଗୋଟିଏ ଲେଖାଏଁ ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରାଯାଇଛି। ଏହା ଚକଡେରା ନୀତି ଭାବେ ପରିଚିତ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ସକାଳ ଧୂପ ସମ୍ପନ୍ନ ପରେ ତିନିଜଣ ପୂଜାପଣ୍ଡା ସେବକ ଆଜ୍ଞାମାଳ ଧରି ଶୋଭାଯାତ୍ରାରେ ରଥଖଳାକୁ ଯାଇଥିଲେ। ସେଠାରେ ଅଖ ଓ ଚକରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ଲାଗି କରାଯାଇଥିଲା।
ମହାରଣା ଓ ଭୋଇ ସେବକମାନେ ଅଖରେ ଚକ ସଂଯୋଗ କରିଥିଲେ। ହରିବୋଲ, ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନିରେ ରଥଖଳା ପ୍ରକମ୍ପିତ ହୋଇଥିଲା। ବହୁ ଶ୍ରଦ୍ଧାଳୁ ଭକ୍ତ ରଥ ଡେରା ନୀତି ଦେଖିଥିଲେ। ସେଠାରେ ଭାବ ଭକ୍ତିମୟ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ, ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, ପ୍ରଶାସକ (ନୀତି), ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଉନ୍ନୟନ), ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର ସନ୍ଧ୍ୟା ସୁଦ୍ଧା ତିନି ରଥର ୪୨ଚକ ମଧ୍ୟରୁ ୨୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି।ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥର ୧୪ ଗୋଟି ଚକ ମଧ୍ୟରୁ ୯, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ ଚକ ମଧ୍ୟରୁ ୯ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ୧୨ ଗୋଟି ଚକ ମଧ୍ୟରୁ ୮ ଚକ ନିର୍ମାଣ ଶେଷ ହୋଇଛି। ଏତଦ୍ବ୍ୟତୀତ ଅଖ, ଓରା, ଗୁଜ, ଜଳଯନ୍ତ୍ର ନିର୍ମାଣ ଚାଲିଛି।ରୂପକାର ସେବକମାନେ କୋଣ ଗୁଜାରେ ନୃସିଂହ ମୂର୍ତ୍ତି ଖୋଦେଇ କରୁଛନ୍ତି। ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ଆବଶ୍ୟକ କଣ୍ଟା କବ୍ଜା ନିର୍ମାଣ କରୁଛନ୍ତି।



