ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନ । ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ପୂର୍ବରୁ ତାଙ୍କ ନାଁରେ ବ୍ୟାପକ ଦୁର୍ନୀତି କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ବୁଧବାର ସହଦେବ କିଷାନ ଦେଢ଼ ଲକ୍ଷ ଟଙ୍କା ଧରି ଗାଡ଼ିରେ ଯାଉଥିବାବେଳେ, ଭିଜିଲାନ୍ସ ଅଟକାଇ ପଚରା ଉଚରା କରିଥିଲା ହେଲେ ଯନ୍ତ୍ରୀ ଜଣଙ୍କ କୌଣସି ସନ୍ତୋଷଜନକ ଉତ୍ତର ନଦେଇପାରିବାରୁ ତାଙ୍କୁ ଅଟକ ରଖିଛି ।
ଏହି ଘଟଣାରେ ଭିଜିଲାନ୍ସର ଦୁଇଟି ଟିମ୍ ରାୟଗଡା ସହର ଶିରିଗୁଡ଼ା ସ୍ଥିତ ବିଭାଗୀୟ କାର୍ଯ୍ୟାଳୟ ସମେତ ଆବାସିକ ଭବନରେ ଚଢାଉ କରାଯାଇଛି । ଯାଞ୍ଚ ପରେ ଆୟ ବର୍ହିଭୁତ ସମ୍ପତ୍ତିର ତାଲିକା ଜଣାପଡ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।ହସ୍ତଗତ ତଥ୍ୟ ଅନୁଯାୟୀ ଜଣେ ଠିକାଦାରଙ୍କ ଠାରୁ ବିପୁଳ ଅବୈଧ ନଗଦ ସଂଗ୍ରହ ସମ୍ପର୍କରେ ବିଶ୍ୱସ୍ତ ସୂଚନା ଆଧାରରେ ସହଦେବ କିଷାନଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ ।ରାୟଗଡ଼ା ଜିଲ୍ଲାରେ ଜଣକ ପରେ ଜଣେ ବଡ଼ ମୁଣ୍ଡ ଭିଜିଲାନ୍ସର ଜାଲରେ ଫସିଛନ୍ତି । ବିପୁଳ ବେନାମୀ ସମ୍ପତ୍ତି ଠାବ ହେଉଛି । ନିକଟରେ ଜଳଛାୟା ମିଶନରେ ଭିଜିଲାନ୍ସ ଚଢାଉ କରିଥିଲା । ସେହିପରି ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ନୂଆପଡ଼ାରେ ଜଣେ କନିଷ୍ଠ ଯନ୍ତ୍ରିକୁ ଧରିଥିଲା ଭିଜିଲାନ୍ସ । ସେ ପୂର୍ବରୁ ରାୟଗଡା ଜିଲ୍ଲାରେ କାମ କରୁଥିବା ଜଣାଯାଇଛି ।ଚଢାଉ ବେଳେ ତାଙ୍କ ରାୟଗଡା ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା । ପୁଣି ଆଜି ଜନସ୍ବାସ୍ଥ୍ୟ ବିଭାଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଆଗକୁ ଅନେକ ଏହି ସ୍କାନରରେ ଥିବା ଭିଜିଲାନ୍ସ ର ଗତିବିଧିରୁ ଜଣା ପଡୁଛି । ଏସବୁ ଦେଖିଲେ ଲାଗୁଛି ରାୟଗଡା ଜିଲ୍ଲା ଦୁର୍ନୀତିର ପେଣ୍ଠସ୍ଥଳ ପାଲଟିଛି । ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଲଗାମ ଛଡ଼ା ହୋଇ ଯାଇଛନ୍ତି । ଭିଜିଲାନ୍ସ ଫୋକାସରେ ଏବେ ରାୟଗଡ଼ା ଜିଲ୍ଲା ରହିଛି । ଆଗକୁ କେଉଁ ଦୁର୍ନୀତିଗ୍ରସ୍ତ ଅଧିକାରୀ ଧାରା ପଡ଼ୁଛନ୍ତି ତାକୁ ନେଇ ଜିଲ୍ଲା ବ୍ୟାପି ଚର୍ଚ୍ଚା ଚାଲିଛି ।



