*ଜନତା ହାଇସ୍କୁଲରେ କୁମ୍ଭୀର ସଂରକ୍ଷଣ ପ୍ରସଙ୍ଗ ଭିତ୍ତିକ ଚିତ୍ରାଙ୍କନ ପ୍ରତିଯୋଗୀତା*

ବରଗଡ଼ (ପବିତ୍ର ମେହେର): କୁମ୍ଭୀର ପ୍ରଜାତିର ସଂରକ୍ଷଣ ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଆଭିମୁଖ୍ୟ ନେଇ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ଭୁକ୍ତାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବରଗଡ଼ ବନଖଣ୍ଡ ଅଧିନସ୍ଥ ଭଟଲି ବନାଞ୍ଚଳ ପକ୍ଷରୁ ବ୍ଲକସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁମ୍ଭୀର ସଂରକ୍ଷଣ ସଂମ୍ପର୍କରେ ଛାତ୍ରାବସ୍ଥାରୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭଟଲି ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ,ସମ୍ମାନିତ ଅତିଥି ଭାବରେ ମୋହନ ଚରଣ ମହାନ୍ତ,ଇକୋ କ୍ଳବ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଂଜୟ ଖମାରୀ,ଭଟଲି ବନପାଳ ରାଜେନ୍ଦ୍ର ସିଂ,ଅମ୍ବାଭୋନା ବନପାଳ ଲେକୃ ପାଣ୍ଡେ ଯୋଗ ଦେଇ କୁମ୍ଭୀରମାନଙ୍କ ପ୍ରକାରଭେଦ,ଆଶ୍ରୟସ୍ଥଳୀ ଓ ପରିବେଶ ସନ୍ତୁଳନ ରକ୍ଷା କରିବାରେ କୁମ୍ଭୀର ମାନଙ୍କ ଭୂମିକା ସଂପର୍କରେ ବର୍ଣ୍ଣନା କରିବା ସହିତ ସେମାନଙ୍କ ସଂରକ୍ଷଣ ନିମନ୍ତେ ଜନ ଜାଗରଣ ସୃଷ୍ଟି କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। କୁମ୍ଭୀର ସଂରକ୍ଷଣ ପ୍ରସଙ୍ଗ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗୀତାରେ ବ୍ଲକର ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ବରଗଡ଼ ବନଖଣ୍ଡ ପକ୍ଷରୁ ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ବନରକ୍ଷୀ ସୁପ୍ରିୟା ଭୁଏ, ବନ କର୍ମଚାରୀ ଶୁଭମ ନାୟକ,ସିଆରସି ସି କେଦାର ନାଏକ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ,ଶିକ୍ଷକ ତପେଶ୍ୱର ପଧାନ,ଶିକ୍ଷକ ବୋଧରାମ ବିଶ୍ବାଳ ଓ ପଦ୍ମଲୋଚନ ବିଶିଙ୍କ ସମେତ ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବର ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। ସିଆରସିସି କେଦାର ନାଏକ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ତପେଶ୍ଵର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।




