ପଞ୍ଚାୟତସ୍ତରୀୟ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ

ବଅଁରପାଳ, ୦୫/୦୬ (ଶ୍ରୁ.ମି) : ବୁଧବାର ଦିନ ପୂର୍ବାହ୍ନରେ ସାମାଜିକ ସଂଗଠନ “ସ୍ପନ୍ଦନ” ତରଫରୁ ଏବଂ ଯୁଗ୍ମ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ( ମାପ ଓ ଓଜନ) ବିଭାଗ ଅନୁଗୋଳ ଆନୁକୁଲ୍ୟରେ ପଞ୍ଚାୟତସ୍ତରୀୟ ଉପଭୋକ୍ତ। ସଚେତନତା କାର୍ଯକ୍ରମ ଭୋଗବେରେଣୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଚାପଲିନ୍ ସାହୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଆଜିର ଦିନରେ ଖାଉଟି ମାନେ ସବୁ ସ୍ତରରେ ଉପେକ୍ଷିତ ହେଉଛନ୍ତି, ଗାଁରେ ରାସନ ଚାଉଳ ଠାରୁ ଆରମ୍ଭ କରି ବିଭିନ୍ନ ପ୍ୟାକେଟ ଜିନିଷ କିଣିବା ସମୟରେ କମ୍ ଓଜନ ସହିତ ଖରାପ ସାମଗ୍ରୀ ପାଉଛନ୍ତି, ତେଣୁ ଖାଉଟି ମାନେ ନିଜର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ସହିତ ଆଇନ କାନୁନ୍ ବିଷୟରେ ଜାଣିବା ନିତ୍ୟାନ୍ତ ବଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସାଧନ କର୍ମୀ ଭାବେ ପୂର୍ବତନ ଅଧ୍ୟକ୍ଷ ଜିଲ୍ଲା ଖାଉଟି ବିବାଦ ବିଚାର କମିଶନ ଏବଂ ଜିଲ୍ଲା ଶିଶୁ କଲ୍ୟାଣ ସଦସ୍ୟ, ଅନୁଗୋଳ କଲ୍ୟାଣ ମହାନ୍ତି ଯୋଗ ଦେଇ ଖାଉଟି ଅର୍ଥ କଣ?, ଖାଉଟି ମାନଙ୍କର ବିଭିନ୍ନ ସମସ୍ୟା, ସମସ୍ୟାର ଆରମ୍ଭ, ଅଧିକାର, ଆମ ଦେଶରେ ଆଇନ୍ ର ଆରମ୍ଭ, ଅନୁମୋଦନ, ସଂଶୋଧନ, ଲାଗୁକରଣ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହିତ , ଅତିରଞ୍ଜିତ ବିଜ୍ଞାପନ ଦେଇ ଖାଉଟି ମାନଙ୍କୁ ଶୋଷଣ କରୁଛନ୍ତି ଏବଂ ଏହି ଶୋଷଣରୁ କିପରି ରକ୍ଷା ପାଇ ପାରିବେ ତଥା ସମବାୟ ସମିତି ଏବଂ ବିଭିନ୍ନ ସରକାରୀ ବ୍ୟାଙ୍କ୍ ମାନେ ତାଙ୍କର ଗ୍ରାହକ ମାନଙ୍କୁ କିପରି ଠକୁଛନ୍ତି ସେହି ବିଷୟରେ ସଚେତନ କରିଥିଲେ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ସାମଲ ଯୋଗ ଦେଇ ଖାଉଟି ମାନଙ୍କର ବିଭିନ୍ନ ସମସ୍ୟା ଏବଂ ସମସ୍ୟାର ସମାଧାନ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଜାତୀୟ ଉପଭୋକ୍ତା ନମ୍ବର ୧୯୧୫ ତଥା ନିଶୁଳ୍କ ନମ୍ୱର ୧୮୦୦୧୧୪୦୦୦ ରେ କୌଣସି ପ୍ରକାର ଖାଉଟି ସମ୍ବନ୍ଧୀୟ ଠକାମିର ଶିକାର ବ୍ୟକ୍ତ୍ତି ନିଜର ଅଭିଯୋଗ ଜଣାଇବା ଉପରେ ସଚେତନ କରାଇଥିଲେ ।ଭଗବତୀ ନନ୍ଦ, ନାଏବ ସରପଞ୍ଚ, ପ୍ରିୟଦର୍ଶିନୀ ତ୍ରିପାଠୀ,ଏମ୍ବିକେ, ଭୋଗବେରେଣି ପଞ୍ଚାୟତ ଇତ୍ୟାଦି ନିଜ ନିଜର ମତ ଉପସ୍ଥାପନ କରିଥିଲେ । ବିଭୁ ପ୍ରସାଦ ଶତପଥୀ, ସଦସ୍ୟ, ସ୍ପନ୍ଦନ, ଅତିଥି ପରିଚୟ ସହିତ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ଏମ୍ବୀକେ, ପ୍ରିୟଦର୍ଶିନୀ ତ୍ରିପାଠୀଙ୍କୁ ଅନୁଷ୍ଠାନ ତରଫରୁ ତାଙ୍କର ତ୍ୱରିତ ସେବା ମନୋଭାବ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁଶାନ୍ତ ବେହେରା, ସ୍ବେଚ୍ଛାସେବୀ, “ସ୍ପନ୍ଦନ” ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୬୨ଜଣ ଅଂଶ ଗ୍ରହଣ କରିଥିଲେ ।




