ଭୂବନେଶ୍ବର: ନନ୍ଦନକାନନରେ ପୁଣି ବୃଦ୍ଧି ପାଇଲା ଧଳା ବାଘଙ୍କ ସଂଖ୍ୟା । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ । ଏନ୍କ୍ଲୋଜର ୨୮-ବି’ରେ ଏହି ଦୁଇଟି ଯାକ ଛୁଆ ଜନ୍ମ ହୋଇଛନ୍ତି । ମା’ ସହିତ ଥିବାରୁ ଜନ୍ମିତ ଛୁଆମାନଙ୍କ ଲିଙ୍ଗ ନିର୍ଣ୍ଣୟ ହୋଇପାରିନାହିଁ । ମା’ ଛୁଆମାନଙ୍କର ଯତ୍ନ ନେଇଉଥିବାର ଦେଖିବାକୁ ମିଳିଛି।
୨୭ ଏବଂ ୨୮ ଫେବୃଆରୀ ୨୦୨୫ରେ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶଙ୍କ ମଧ୍ୟରେ ସଫଳ ମିଳନ ପରେ ମୌସୁମୀ ଦ୍ୱିତୀୟ ଥର ପାଇଁ ମା’ ହୋଇଛି । ଦୁଇଟି ଛୁଆ ମଧ୍ୟରୁ ଗୋଟିଏ ଛୁଆ ସାଧାରଣ ରଙ୍ଗର ଏବଂ ଅନ୍ୟଟି ଧଳାରଙ୍ଗର ବୋଲି ଜଣାପଡିଛି ।ଉଭୟ ପିତାମାତା ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ । ମୌସୁମୀ ୫ ଅଗଷ୍ଟ ୨୦୧୬ରେ ମନୀଷ ଏବଂ ସ୍ନେହାଙ୍କ ଔରସରେ ଏବଂ ରାଜେଶ ୨୨ ସେପ୍ଟେମ୍ବର ୨୦୧୮ରେ ରୋଶନ ଏବଂ ବିଜୟାଙ୍କ ଔରସରେ ଜନ୍ମ ଗ୍ରହଣ କରିଥିଲା ।ତେବେ ନିକଟରେ ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ହୋଇଥିଲା ଯାହା ଫଳରେ ନନ୍ଦନକାନନରେ ଧଳା ବାଘ ସଂଖ୍ୟା ହ୍ରାସ ପାଇଥିଲା । ବାଘ ଛୁଆଟିକୁ ମାତ୍ର ୭ ମାସ ହେଇଥିଲା । ଏହି ମାଈ ଧଳା ବାଘ ଛୁଆଟି ମେଲାନିଷ୍ଟିକ ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲା ।



