ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ରେଳବାଇର ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏହା ଦ୍ବାରା ଯାତ୍ରା ଆହୁରି ସୁବିଧା ହେବ, ଖର୍ଚ୍ଚ ହ୍ରାସ ପାଇବ, କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ କମିବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କୋଡରମାରୁ ବରକାକାନା ମଧ୍ୟରେ ୧୩୩ କିଲୋମିଟର ଡବଲ ଲେନକୁ ମଞ୍ଜୁର କରାଯାଇଛି ।
ଏହାର ଅଟକଳ ମୂଲ୍ୟ ୩୦୬୩ କୋଟି ଟଙ୍କା । ଏହା ପାଟନା ଏବଂ ରାଞ୍ଚି ମଧ୍ୟରେ ଦୂରତା ହ୍ରାସ କରିବ। ଏହା କୋଡରମା, ଛତ୍ର, ହଜାରୀବାଗ ଏବଂ ରାମଗଡ଼ ଜିଲ୍ଲାକୁ ସଂଯୋଗ କରିବ ।ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଦ୍ଵିତୀୟ ପ୍ରକଳ୍ପ ବଳ୍ଲାରୀ-ଚିକଜାଜୁର ଦ୍ୱିଗୁଣିତ ରେଳ ଲାଇନ ୧୮୫ କିଲୋମିଟର ବିଶିଷ୍ଟ ଯାହା ମଙ୍ଗାଲୋର ବନ୍ଦରକୁ ସିକନ୍ଦରାବାଦ ସହିତ ସଂଯୋଗ କରିବ। ସେ କହିଛନ୍ତି, ଏହି ପ୍ରକଳ୍ପ ଲାଇନ କର୍ଣ୍ଣାଟକର ବଲ୍ଲାରୀ ଏବଂ ଚିତ୍ରଦୁର୍ଗ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ଦେଇ ଯିବ। ଶ୍ରୀ ବୈଷ୍ଣବ କହିଥିଲେ ଯେ ଏହି ପ୍ରକଳ୍ପ ଲୁହା, କୋଇଲା, ଇସ୍ପାତ ଏବଂ ସାରର ପରିବହନକୁ ପୂରଣ କରିବ।ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପ ତିନି ବର୍ଷ ମଧ୍ୟରେ ଶେଷ ହେବ। ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶର ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ଏହି ଦୁଇଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୧୮ କିଲୋମିଟର ବୃଦ୍ଧି କରିବ। ବର୍ଦ୍ଧିତ ଲାଇନ କ୍ଷମତା ଗତିଶୀଳତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ, ଫଳସ୍ୱରୂପ ଭାରତୀୟ ରେଳବାଇ ପାଇଁ ପରିଚାଳନା ଦକ୍ଷତା ଏବଂ ସେବା ବିଶ୍ୱସନୀୟତାରେ ଉନ୍ନତି ହେବ। ଏହା ୨୮ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏକ ହଜାର ଚାରି ଶହରୁ ଅଧିକ ଗ୍ରାମକୁ ସଂଯୋଗ ବୃଦ୍ଧି କରିବ।ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ସମୟରେ ପ୍ରାୟ ୧୦୮ ଲକ୍ଷ ମାନବ ଦିବସ ପାଇଁ ପ୍ରତ୍ୟେକ୍ଷ ନିଯୁକ୍ତି ସୃଷ୍ଟି କରିବ। କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ପରିବହନ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ପାଇଁ ୪ ଲକ୍ଷ ୫୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ସେ କହିଥିଲେ, ପରିବହନ କ୍ଷେତ୍ରରେ ପୁଞ୍ଜି ନିବେଶ କାରଣରୁ ଲଜିଷ୍ଟିକ୍ସ ଖର୍ଚ୍ଚ ୪ ପ୍ରତିଶତ ହ୍ରାସ ପାଇଛି।



