ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ୫୫୦ କୋଟିର ପ୍ରକଳ୍ପ ଭେଟି । ଆସ୍କାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ ପ୍ରକଳ୍ପ, ଗୋଟିଏ ହାଇ ଲେଭେଲ୍ ପ୍ରକଳ୍ପ ରହିଛି ।ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ।
କହିଛନ୍ତି, ଓଡ଼ିଶା ଯୁବ ବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ । ରାଜ୍ୟର ଯୁବ ସମାଜ ପାଇଁ ସୁବର୍ଣ୍ଣ ଯୁଗ ଆସୁଛି । ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି । ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ପାଇଁ ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀ ମନ୍ଦିର ଉନ୍ନତିକରଣ ପାଇଁ ରିଭାଇଜଡ ଡିପିଆର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଗଞ୍ଜାମ ବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି କଳା, ସଙ୍ଗୀତ, ନୃତ୍ୟ ଓ ଗୀତର ସମ୍ଭାର। କେବଳ କଳା ନୈପୁଣ୍ୟ ନୁହେଁ ରାଜନୀତିରେ ମଧ୍ୟ ପାରଙ୍ଗମ ଗଞ୍ଜାମ ବାସୀ। ଗଞ୍ଜାମରେ ଗଞ୍ଜାମ ବାସୀ ଡବଲ ନୁହେଁ ଟ୍ରିପଲ୍ ଇଞ୍ଜିନ ସରକାର ଗଠନ କରିଛନ୍ତି। ସେ କହିଥିଲେ ଜୁନ ୧୨ ତାରିଖ ଆମ ପାଇଁ ବର୍ଷ ପୂର୍ତ୍ତିର ମହତ୍ତ୍ୱପୂର୍ଣ୍ଣ ଦିବସ ଥିଲା କିନ୍ତୁ ଆମେ ଆମ ସଫଳତାରେ ଆତ୍ମ ବିଭୋର ନହୋଇ ଜୁନ ୧୩ ତାରିଖରୁ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛୁ।ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲ୍ଲାରେ ୫୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ, ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ ପ୍ରକଳ୍ପ, ଗୋଟିଏ ହାଇ ଲେଭେଲ୍ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ ରହିଛି। ମା ତାରତାରେଣୀ ମନ୍ଦିର ଉନ୍ନତିକରଣ ପାଇଁ ରିଭାଇଜ୍ ଡି ପି ଆର ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପୋଲସରାରେ ଏକ ବିଶ୍ବସ୍ତରୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।ଯୁବ ସମାଜକୁ ଉଦବୋଧନ ଦେଇ ସେ କହିଥିଲେ ଯେ, ଯୁବ ବର୍ଗ ହେଉଛନ୍ତି ଆମ ସମାଜର ଶକ୍ତି, ସାମର୍ଥ୍ୟ ଓ ଭବିଷ୍ୟତ। ଅସୀମିତ ଶକ୍ତିର ଭଣ୍ଡାର। ଆମ ଓଡ଼ିଶାରେ ଏହି ପ୍ରଡକ୍ଟିଭ ଏଜ୍ ଗ୍ରୁପରେ ୧୫ ରୁ ୩୫ ବର୍ଷ ମଧ୍ୟରେ ଜନସଂଖ୍ୟା ହେଉଛି ୧.୭ କୋଟି । ଆମର ଏହି ବିପୁଳ ଯୁବ ଶକ୍ତିର ସାମର୍ଥ୍ୟ ଉପରେ ଭରସା କରି ଆମେ ଭବିଷ୍ୟତ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛୁ। ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ଜାତୀୟ ଶିକ୍ଷା ନୀତି ଲାଗୁ କରିଛୁ। ମୌଳିକ ଶିକ୍ଷାର ଉନ୍ନତି ପାଇଁ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସହିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ।ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ। ପିଲାମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ ୫୮ ଟି କଲେଜରେ ଶିଳ୍ପ ସମ୍ପର୍କ ଓ ବ୍ୟବହାରିକ ଶିକ୍ଷା ଜ୍ଞାନରେ ତାଲିମ ଦେଉଛୁ। ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି ଉପରେ ଆମେ ସର୍ବାଧିକ ଗୁରୁତ୍ଵ ଦେଉଛୁ। ଆମର ଏହି ସବୁ କାର୍ଯ୍ୟକ୍ରମ ଆଗାମୀ ଦିନରେ ଓଡ଼ିଶାର ଯୁବ ବର୍ଗଙ୍କୁ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ଅଧିକ ଯୋଗ୍ୟ କରି ଗଢିତୋଳିବ। ସାରା ବିଶ୍ବରେ ସେମାନଙ୍କର ଚାହିଦା ବଢିବ।



